ବରମୁଣ୍ଡା ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୮ ଗାଡ଼ି

ଅକ୍ଷର ବ୍ୟୁରୋ: ରାଜଧାନୀର ବରମୁଣ୍ଡା ଅଞ୍ଚଳରେ ଏକ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ। EV ଗାଡ଼ିରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ଗ୍ୟାରେଜରେ ଥିବା ମୋଟ ୮ଟି ଗାଡ଼ି ନିଆଁରେ ପୋଡ଼ିଯାଇଛି। ଏଥିରେ ୫ଟି EV, ଗୋଟିଏ CNG କାର୍‌ ଓ ୨ଟି ପେଟ୍ରୋଲ୍‌ ଗାଡ଼ି ରହିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ବରମୁଣ୍ଡା କଲୋନୀ ନାକାଗେଟ୍‌ ଆନନ୍ଦ ବିହାର ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ହଠାତ୍‌ ଧୂଆଁ ଓ ନିଆଁ ବ୍ୟାପିଯାଇଥିଲା। ଗ୍ୟାରେଜ ଭିତରେ ଗାଡ଼ିଗୁଡ଼ିକ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଥିବା ଜଣାପଡ଼ିଛି। ନିଆଁର ତୀବ୍ରତା ଦେଖି ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ତମାଣ୍ଡୋ ଫାୟାର୍‌ ଷ୍ଟେସନ୍‌ର ଅଗ୍ନିଶମ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ତେବେ EVରେ ସର୍ଟସର୍କିଟ୍‌ ଯୋଗୁଁ ହିଁ ନିଆଁ ଲାଗିଥିଲା କି ଅନ୍ୟ କୌଣସି କାରଣ ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ଗ୍ୟାରେଜରେ ହୋଇଥିବା ମୋଟ କ୍ଷୟକ୍ଷତିର ପରିମାଣ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial