ଅକ୍ଷର ବ୍ୟୁରୋ: ପୁରୀ ମେରାଇନ୍ ଥାନା ଅଧୀନ ସମଗରା ଅଞ୍ଚଳରେ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଦୁଇ ଛୋଟ ଝିଅଙ୍କୁ ବିଷାକ୍ତ ପଦାର୍ଥ ଖୁଆଇବା ପରେ ଜଣେ ମହିଳା ନିଜେ ମଧ୍ୟ ତାହା ଖାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୬ ବର୍ଷ ଓ ଅଢେଇ ବର୍ଷ ବୟସର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଲକ୍ଷ୍ମୀପ୍ରିୟା ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ସମଗରା ଅଞ୍ଚଳର ଦୀପୁ ପ୍ରଧାନଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନିଜ ଦୁଇ ଛୋଟ ଝିଅଙ୍କୁ ଭାତରେ ବିଷାକ୍ତ ପଦାର୍ଥ ମିଶାଇ ଖୁଆଇଥିବା ଏବଂ ପରେ ନିଜେ ମଧ୍ୟ ତାହା ଖାଇଥିବା ଅଭିଯୋଗ ହୋଇଛି। କିଛି ସମୟ ପରେ ତିନିଜଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।
ତେବେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ପୁରୀ ସଦର ଡାକ୍ତରଖାନା ଏବଂ ପରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପ୍ରିୟା ଏଭଳି ପଦକ୍ଷେପ କାହିଁକି ନେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମହିଳା ଚିକିତ୍ସାଧୀନ ଥିବାରୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରିପାରିନାହିଁ। ଖବର ପାଇ ମେରାଇନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ପଡ଼ୋଶୀ ଓ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଲେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି। ଏହି ଦୁଃଖଦ ଘଟଣା ପରେ ସମଗରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।














Leave a Reply