ହୀରାକୁଦରେ ବଢ଼ିଲା ଜଳସ୍ତର, ଖୋଲିଲା ୭ ଗେଟ୍‌; ମହାନଦୀ ଅବବାହିକାକୁ ବନ୍ୟା ଆଶଙ୍କା

ଅକ୍ଷର ବ୍ୟୁରୋ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢ଼ୁଛି ଜଳସ୍ତର। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ପରେ ଆଉ ୫ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୭ ଫୁଟ୍‌ ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବଢ଼ିବାରେ ଲାଗିଛି ଜଳ ପ୍ରବେଶ। ଏହାକୁ ଦୃଷ୍ଟିରେ ରଖି ଜଳ ପରିଚାଳନା ପାଇଁ ଅଧିକ ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦରୁ ମୋଟ ୬୬ ହଜାର କ୍ୟୁସେକ୍‌ ପାଣି ନିଷ୍କାସନ କରାଯାଉଛି। ଏଥିରୁ ବାମପାର୍ଶ୍ୱର ୫ଟି ଏବଂ ଡାହାଣପାର୍ଶ୍ୱର ୨ଟି ଗେଟ୍‌ ଦେଇ ବନ୍ୟାଜଳ ଛଡ଼ାଯାଉଛି।

ଅନ୍ୟପକ୍ଷରେ, ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୯ ହଜାର ୧୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି। ଇନ୍‌ଫ୍ଲୋ ଅଧିକ ରହିଥିବାରୁ ଆଗକୁ ଜଳ ନିଷ୍କାସନ ପରିମାଣ ବଢ଼ିପାରେ କି ନାହିଁ, ତାହା ଉପରେ ନଜର ରହିଛି। ହୀରାକୁଦରୁ ଅଧିକ ପରିମାଣରେ ପାଣି ନିଷ୍କାସନ ହେଉଥିବାରୁ ଏହାର ପ୍ରଭାବ ମହାନଦୀ ଅବବାହିକାରେ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ଉପରେ ନଜର ରହିଛି। ଏଭଳି ସ୍ଥିତିରେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଉପରମୁଣ୍ଡରୁ ଆସୁଥିବା ଜଳ ଏବଂ ଗେଟ୍‌ ଖୋଲା ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial