ଅକ୍ଷର ବ୍ୟୁରୋ: ଏୟାର ଇଣ୍ଡିଆର ସଙ୍କଟ ଥମିବାର ନାଁ ନେଉନି। ବିମାନ ଟର୍ବୁଲାନ୍ସ ଘଟଣା ପରେ ପାଇଲଟ୍ଙ୍କ ଡ୍ରଗ୍ ଟେଷ୍ଟକୁ କଡ଼ାକଡ଼ି କରାଯାଇଥିବା ବେଳେ ଏବେ ପ୍ରାରମ୍ଭିକ ପରୀକ୍ଷାରେ ଆଉ ଦୁଇଜଣ ପାଇଲଟ୍ଙ୍କ ଡ୍ରଗ୍ ଟେଷ୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦୁଇ ପାଇଲଟ୍ଙ୍କୁ ଡ୍ୟୁଟି ଏବଂ ଫ୍ଲାଇଟ୍ ରୋଷ୍ଟରରୁ ହଟାଇ ଦିଆଯାଇଛି।
ପ୍ରାରମ୍ଭିକ ଡ୍ରଗ୍ ପରୀକ୍ଷାରେ ଦୁଇ ପାଇଲଟ୍ଙ୍କ ନମୁନା ପଜିଟିଭ୍ ଆସିଛି। ତେବେ ଏହାକୁ ଚୂଡ଼ାନ୍ତ ଫଳାଫଳ ଭାବେ ଧରାଯାଇନାହିଁ। ଫାଇନାଲ୍ ପରୀକ୍ଷା ରିପୋର୍ଟ ଆସିବାକୁ ୨୪ରୁ ୪୮ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ଦୁଇ ପାଇଲଟ୍ଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ହେବ।ଏୟାର ଇଣ୍ଡିଆରେ କାର୍ଯ୍ୟରତ ୫ ହଜାରରୁ ଅଧିକ ପାଇଲଟ୍ଙ୍କ ମଧ୍ୟରୁ ୩୦୦ରୁ ଅଧିକ ପାଇଲଟ୍ଙ୍କ ଡ୍ରଗ୍ ଟେଷ୍ଟ ଇତିମଧ୍ୟରେ କରାଯାଇଛି। ଟର୍ବୁଲାନ୍ସ ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ଲକ୍ଷ୍ୟରେ ଏହି ପରୀକ୍ଷା ଜାରି ରହିଛି। ପୂର୍ବରୁ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା। ଏହା ପରେ ପାଇଲଟ୍ଙ୍କ ସୁରକ୍ଷା ଯାଞ୍ଚ ଉପରେ ଗୁରୁତ୍ୱ ବଢ଼ାଇବା ସହ ସମସ୍ତ ପାଇଲଟ୍ଙ୍କ ଡ୍ରଗ୍ ପରୀକ୍ଷା କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା। ଏବେ ଦୁଇ ପାଇଲଟ୍ଙ୍କ ପ୍ରାରମ୍ଭିକ ରିପୋର୍ଟ ପଜିଟିଭ୍ ଆସିବା ପରେ ଚୂଡ଼ାନ୍ତ ରିପୋର୍ଟ ଉପରେ ନଜର ରହିଛି।













Leave a Reply