ଅଟଳଜୀଙ୍କ ପୁଣ୍ୟତିଥିରେ ଦେଶର ଶ୍ରଦ୍ଧାଞ୍ଜଳି: ‘ସଦୈବ ଅଟଳ’ରେ ମୋଦିଙ୍କ ପୁଷ୍ପାଞ୍ଜଳି, ମହାନ ରାଷ୍ଟ୍ରନେତାଙ୍କୁ ମନେ ପକାଇଲା ଦେଶ

ଅକ୍ଷର ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ସାରା ଦେଶ। ନୂଆଦିଲ୍ଲୀସ୍ଥିତ ତାଙ୍କ ସ୍ମୃତିପୀଠ ‘ସଦୈବ ଅଟଳ’ରେ ଆୟୋଜିତ ପ୍ରାର୍ଥନା ସଭାରେ ଦେଶର ବହୁ ବରିଷ୍ଠ ନେତା ଯୋଗଦେଇ ଅଟଳଜୀଙ୍କୁ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସଦୈବ ଅଟଳ’ରେ ପୁଷ୍ପାଞ୍ଜଳି ଅର୍ପଣ କରି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ସମେତ ବହୁ ବରିଷ୍ଠ ନେତା ଅଟଳଜୀଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଅସାଧାରଣ ଦୂରଦୃଷ୍ଟିର ଅଧିକାରୀ ଅଟଳଜୀ ନିଜ ଜୀବନକୁ ଦେଶସେବା ପାଇଁ ସମର୍ପିତ କରିଥିଲେ। ତାଙ୍କ ଚିନ୍ତାଧାରା, କଥା ଓ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସୁଛି। ତାଙ୍କ ନେତୃତ୍ୱ ଦେଶକୁ ଆହୁରି ସୁଦୃଢ଼ କରିଥିବା ବେଳେ ସୁଶାସନ ଓ ଜନକଲ୍ୟାଣକୁ ସେ ସର୍ବଦା ପ୍ରାଥମିକତା ଦେଇଥିଲେ ବୋଲି ମୋଦି ସ୍ମରଣ କରିଛନ୍ତି।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସୋସିଆଲ ମିଡିଆ ‘X’ରେ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାଜପେୟୀଙ୍କ ନେତୃତ୍ୱକୁ ସ୍ମରଣ କରି ଶାହ କହିଛନ୍ତି ଯେ, ପରମାଣୁ ପରୀକ୍ଷଣ ଓ କାରଗିଲ ଯୁଦ୍ଧ ମାଧ୍ୟମରେ ସେ ବିଶ୍ୱ ସମ୍ମୁଖରେ ଭାରତର ଶକ୍ତି ପ୍ରଦର୍ଶନ କରିଥିଲେ। ଦେଶର ରାଜନୀତିରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଓ ତାଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ଆଜିର ଦିନରେ ସ୍ମରଣ କରାଯାଉଛି। ସୁଶାସନ, ରାଷ୍ଟ୍ରହିତ ଓ ଜନସେବାର ତାଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ମଧ୍ୟ ଦିଗଦର୍ଶନ ଦେଇଚାଲିବ ବୋଲି ନେତାମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial