ଅକ୍ଷର ବ୍ୟୁରୋ: ପାନ ମସଲା ବିଜ୍ଞାପନକୁ ନେଇ ବଢ଼ିଲା ବଲିଉଡର ୩ ସୁପରଷ୍ଟାରଙ୍କ ଅଡ଼ୁଆ। ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA)। ଏକ ବିଜ୍ଞାପନ ନିଷିଦ୍ଧ ପାନ ମସଲା ଉତ୍ପାଦର ପରୋକ୍ଷ ବା ସରୋଗେଟ୍ ପ୍ରମୋସନ୍ ହୋଇପାରେ ବୋଲି FDA ଆଶଙ୍କା କରିଛି। ନୋଟିସରେ ତିନି ଅଭିନେତାଙ୍କୁ ବିଜ୍ଞାପନରେ ସେମାନଙ୍କ ଭୂମିକା, ବ୍ରାଣ୍ଡ ପ୍ରଚାର ଏବଂ ପ୍ରମୋସନାଲ୍ ସମର୍ଥନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। FDAର ଅଭିଯୋଗ ଅନୁସାରେ, ବିଜ୍ଞାପନରେ ବ୍ୟବହୃତ ବ୍ରାଣ୍ଡ ନାମ, ସଂଳାପ ଓ ଉପସ୍ଥାପନା ସମ୍ପୃକ୍ତ ବ୍ରାଣ୍ଡକୁ ପାନ ମସଲା ସହ ଯୋଡ଼ୁଥିବା ଭଳି ଲାଗୁଛି।
ମହାରାଷ୍ଟ୍ର FDA ଏବେ ତମାଖୁ ଓ ପାନ ମସଲା ବିକ୍ରି ବିରୋଧରେ କଡ଼ା ଆକ୍ସନ୍ ନେଉଥିବା ବେଳେ ଏହି ତିନି ଅଭିନେତା ଯାଞ୍ଚ ପରିସରକୁ ଆସିଛନ୍ତି। FDA ଅନୁସାରେ, ଭ୍ରାମକ ଖାଦ୍ୟ ବିଜ୍ଞାପନ କିମ୍ବା ଖାଦ୍ୟ ସୁରକ୍ଷା ଆଇନ ଓ ଏହା ଅଧୀନ ନିୟମାବଳୀର ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ୨୦୨୬ ଜୁଲାଇ ୧୩ର ଏକ ଆଦେଶ ଅନୁଯାୟୀ, ମହାରାଷ୍ଟ୍ରରେ ପାନ ମସଲା ଭଳି ନିଷିଦ୍ଧ ଉତ୍ପାଦର ଉତ୍ପାଦନ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରୟ ଉପରେ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲାଗୁ ହୋଇଛି। ଏଭଳି ସ୍ଥିତିରେ ବିଜ୍ଞାପନରେ ତିନି ଅଭିନେତାଙ୍କ ଅଂଶଗ୍ରହଣକୁ FDA ଗୁରୁତ୍ୱର ସହ ନେଇଛି। ଏବେ ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ଜବାବ ଉପରେ ନଜର। ସେମାନଙ୍କ ସ୍ପଷ୍ଟୀକରଣ ମିଳିବା ପରେ FDA ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି।















Leave a Reply