ଅକ୍ଷର ବ୍ୟୁରୋ: କାନପୁରରେ ୨୫ ବର୍ଷୀୟା ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ମୋଡ଼। ପୋଷ୍ଟମର୍ଟମ ରିପୋର୍ଟରୁ ଯୁବତୀ ପ୍ରାୟ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଗୋଲୁ ପାଣ୍ଡେ ଓ ପ୍ରାଞ୍ଜଳ ନାମକ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସର ସୂଚନା ଅନୁସାରେ, ଉଭୟଙ୍କ ସହ ଯୁବତୀଙ୍କ ସମ୍ପର୍କ ଥିବା ଅଭିଯୋଗ ରହିଛି। ଉଭୟଙ୍କୁ ହେପାଜତରେ ନେଇ ପଚରାଉଚରା କରାଯାଉଛି। ତଦନ୍ତରେ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଛି ଗର୍ଭସ୍ଥ ଶିଶୁର ପିତୃତ୍ୱ। ଏଥିପାଇଁ ଶିଶୁର DNA ନମୁନା ସମ୍ଭାବ୍ୟ ଅଭିଯୁକ୍ତଙ୍କ DNA ସହ ମେଳ କରାଯିବ। DNA ରିପୋର୍ଟ ଆସିବା ପରେ ପିତୃତ୍ୱ ସମ୍ପର୍କରେ ସ୍ପଷ୍ଟତା ମିଳିପାରେ।
ପରିବାରର ଦାବି ଅନୁସାରେ, ଗର୍ଭବତୀ ହେବା ପରେ ଯୁବତୀ ଚିନ୍ତାରେ ଥିଲେ। ସେ ସମ୍ପୃକ୍ତ ଯୁବକମାନଙ୍କ ମଧ୍ୟରୁ ଜଣେ ବିବାହ କରିବା ସହ ଶିଶୁର ଦାୟିତ୍ୱ ନେବାକୁ କହୁଥିବା ପରିବାର ପକ୍ଷରୁ କୁହାଯାଇଛି। ପ୍ରାୟ ୩ ଦିନ ତଳେ ଯୁବତୀ ଘରୁ ନିଖୋଜ ହୋଇଥିଲେ। ଏହାର ପରଦିନ ସକାଳେ ଏକ ଆମ୍ବ ବଗିଚାରୁ ତାଙ୍କ ମୃତଦେହ ମିଳିଥିଲା। ମୃତଦେହ ମିଳିବା ପରେ ବାପା ଦୁଇ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରି ପୁଲିସରେ ଅଭିଯୋଗ କରିଥିଲେ।
ଅନ୍ୟପଟେ, ପୋଷ୍ଟମର୍ଟମରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାରୁ ବିସରା ପରୀକ୍ଷା କରାଯିବ। ଏହାସହ ଯୁବତୀଙ୍କ ମୃତ୍ୟୁ ପାଇଁ କାହାରି ପ୍ରରୋଚନା କିମ୍ବା ଅନ୍ୟ କୌଣସି ଭୂମିକା ଥିଲା କି ନାହିଁ, ସେନେଇ ମଧ୍ୟ ପୁଲିସ ଖୋଳତାଡ଼ କରୁଛି। DNA ରିପୋର୍ଟ, ବିସରା ପରୀକ୍ଷା ଓ ଅଭିଯୁକ୍ତଙ୍କ ପଚରାଉଚରା ପରେ ହିଁ ଯୁବତୀଙ୍କ ମୃତ୍ୟୁ ପଛର ସମ୍ପୂର୍ଣ୍ଣ ରହସ୍ୟ ସାମ୍ନାକୁ ଆସିବ।















Leave a Reply