ଅକ୍ଷର ବ୍ୟୁରୋ: ଇଣ୍ଡୋନେସିଆରେ ପୁଣି ପ୍ରକୃତିର ତାଣ୍ଡବ । ଆଜି ଭୋରୁ ଭୟଙ୍କର ଭୂକମ୍ପରେ ଥରିଛି ଦେଶ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୭ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଥିବା ବେଳେ, ଏହାର କେନ୍ଦ୍ର ସମୁଦ୍ର ଭିତରେ ମାତ୍ର ୧୫ କିଲୋମିଟର ଗଭୀରତାରେ ଥିଲା । ଫଳରେ ଝଟକା ବେଶ୍ ଶକ୍ତିଶାଳୀ ଅନୁଭୂତ ହୋଇଥିଲା ।
ସ୍ଥାନୀୟ ସମୟ ଭୋର ପ୍ରାୟ ୪ଟା ୫୮ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ ଏକ ମିନିଟ୍ ଧରି ଭୂମି ଥରିଥିବା କହିଛନ୍ତି ସ୍ଥାନୀୟ ଲୋକ । ନାଗେକିଓ, ବିମା ସମେତ ଅନେକ ଅଞ୍ଚଳରେ ଜୋରଦାର ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରେ ଲୋକେ ଭୟରେ ଘରୁ ବାହାରି ରାସ୍ତାକୁ ଚାଲି ଆସିଥିଲେ । ସମୁଦ୍ର ଭିତରେ ଭୂକମ୍ପ ହୋଇଥିବାରୁ ସୁନାମି ଆଶଙ୍କା ଦେଖାଦେଇଥିଲା । ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା BMKG ପକ୍ଷରୁ କିଛି ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି ହୋଇଥିଲା । ଉପକୂଳ ଅଞ୍ଚଳରେ ସୁନାମି ଢେଉ ପହଞ୍ଚିଥିବା ଖବର ମଧ୍ୟ ମିଳିଥିଲା । ତେବେ କିଛି ଘଣ୍ଟା ପରେ ସୁନାମି ଚେତାବନୀକୁ ପ୍ରତ୍ୟାହାର କରାଯାଇଥିଲା ।
ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ଅତିକମରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମାଉମେରେ ବନ୍ଦର ଅଞ୍ଚଳରେ ଏକ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ଭିଡିଓ ସାମ୍ନାକୁ ଆସିଛି । ସେହିପରି ଏଣ୍ଡେ ଜିଲ୍ଲାର ଏକ ହସ୍ପିଟାଲରୁ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ବାହାର କରାଯାଇଥିଲା । ଭୂକମ୍ପ ପରେ ଏକାଧିକ ଆଫ୍ଟରଶକ୍ ମଧ୍ୟ ଅନୁଭୂତ ହୋଇଛି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ସହ କ୍ଷୟକ୍ଷତି ଆକଳନ ଜାରି ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆର ସୁନାମି ଚେତାବନୀ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏହି ଭୂକମ୍ପ ଯୋଗୁଁ ଅଷ୍ଟ୍ରେଲିଆ ମୁଖ୍ୟଭୂମି କିମ୍ବା ଏହାର ଦ୍ୱୀପପୁଞ୍ଜ ପାଇଁ କୌଣସି ସୁନାମି ବିପଦ ନାହିଁ ।















Leave a Reply