ଅକ୍ଷର ବ୍ୟୁରୋ: ପଶ୍ଚିମ ସିକ୍କିମରେ ପ୍ରକୃତିର ତାଣ୍ଡବ। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍-ଡିଭିଜନ୍ ଅନ୍ତର୍ଗତ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ବିଶାଳ ଭୂସ୍ଖଳନ ଘଟିଛି। ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ଓ ଚାଷଜମି ପ୍ରତି ବିପଦ ବଢ଼ିଛି। ଗତ ୧୪ ତାରିଖ ଶୁକ୍ରବାର ରାତିରୁ ଭୂସ୍ଖଳନ ଆରମ୍ଭ ହୋଇଥିବା ବେଳେ ଏବେ ବି ପାହାଡ଼ ଧସିବା ଜାରି ରହିଛି।
ରିମ୍ବିର ଉପରି ଭାଗରେ ଥିବା ସିଙ୍ଗଲିତମ ଅଞ୍ଚଳରୁ ତଳକୁ ଭୂସ୍ଖଳନ ବଢ଼ିବାର ଆଶଙ୍କା ରହିଛି। ପ୍ରଭାବିତ ଅଞ୍ଚଳରେ ପ୍ରାୟ ୩୮ଟି ପରିବାର ବସବାସ କରୁଥିବା ବେଳେ ରିମ୍ବିରେ ପ୍ରାୟ ୩୦ ଏବଂ ସିଙ୍ଗଲିତମରେ ୮ଟି ପରିବାର ରହିଛନ୍ତି। ମୋଟ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ରହିଥିବା ଆକଳନ କରାଯାଇଛି। ରିମ୍ବିରେ ପ୍ରାୟ ୨୮ଟି ପରିବାରର ୬୦ ଜଣ ଲୋକ ସିଧାସଳଖ ବିପଦରେ ଥିବା ରିପୋର୍ଟ ହୋଇଛି। ଭୂସ୍ଖଳନ ଆଗକୁ ବଢ଼ିବା ଯୋଗୁଁ ଏପର୍ଯ୍ୟନ୍ତ ୨ରୁ ୩ଟି ଘର ପ୍ରଭାବିତ ହୋଇସାରିଛି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ପ୍ରାୟ ୧୫ ଦିନ ଧରି ଅଞ୍ଚଳରେ ଭୂସ୍ଖଳନର ଗତିବିଧି ନେଇ ଭୟ ଲାଗିରହିଛି। ପାହାଡ଼ରୁ ମାଟି ଖସିବା ଜାରି ଥିବାରୁ ଅନେକ ପରିବାର ରାତିରେ ମଧ୍ୟ ଭୟରେ ରହୁଛନ୍ତି।
ସ୍ଥିତିର ଗମ୍ଭୀରତାକୁ ଦେଖି ବିପଦପୂର୍ଣ୍ଣ ଅଞ୍ଚଳରେ ଥିବା ପରିବାରଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସିକ୍କିମ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଅସୁରକ୍ଷିତ ପରିବାରଗୁଡ଼ିକୁ ଚିହ୍ନଟ କରାଯିବା ସହ ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟ ଓ ରହଣି ବ୍ୟବସ୍ଥା କରାଯାଉଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ମଧ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ପ୍ରେସ୍ ସଚିବ ୟୁଗନ ତମାଙ୍ଗଙ୍କ ସୂଚନା ଅନୁସାରେ, ପ୍ରଶାସନ ଭୂସ୍ଖଳନର ଗତିବିଧି ଉପରେ ନଜର ରଖିଛି। କ୍ଷୟକ୍ଷତିର ପରିମାଣ ଏବଂ ଭୂସ୍ଖଳନ ଆଗକୁ କେଉଁ ଦିଗକୁ ବଢ଼ିପାରେ, ତାହା ଜାଣିବା ପାଇଁ ଟେକ୍ନିକାଲ୍ ଆସେସମେଣ୍ଟ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଘଟଣାସ୍ଥଳରେ SDM, BDO ଓ ପଞ୍ଚାୟତ ପ୍ରତିନିଧିମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲଗାଣ ବର୍ଷା ଓ ପାହାଡ଼ିଆ ଭୌଗୋଳିକ ସ୍ଥିତି ଯୋଗୁଁ ଆଗକୁ ଆହୁରି ଭୂସ୍ଖଳନ, ପଥର ଖସିବା ଓ ଜଳବନ୍ଦୀ ଭଳି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ଓ ସ୍ଥାନାନ୍ତର ଉପରେ ଏବେ ପ୍ରଶାସନର ଫୋକସ୍ ରହିଛି।















Leave a Reply