ଅକ୍ଷର ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ସହରାଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ହାଇ ଆଲର୍ଟରେ ରହିବାକୁ କହିଛନ୍ତି। ଯେକୌଣସି ପରିସ୍ଥିତିରେ ତ୍ୱରିତ, ସମନ୍ୱିତ ଓ ଜନକୈନ୍ଦ୍ରିକ ପଦକ୍ଷେପ ନେବା ସହ ସମସ୍ତ କର୍ମଚାରୀ, ଯନ୍ତ୍ରପାତି ଓ ଆବଶ୍ୟକ ସାଜସଜ୍ଜାକୁ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଜନିତ ଯେକୌଣସି ସମସ୍ୟା କ୍ଷେତ୍ରସ୍ତରରୁ ଚିହ୍ନଟ ହେବା ପରେ ତାହାକୁ ପ୍ରାଥମିକତା ଭିତ୍ତିରେ ତୁରନ୍ତ ସମାଧାନ କରିବାକୁ କୁହାଯାଇଛି। ନାଗରିକଙ୍କ ଅସୁବିଧାକୁ ସର୍ବନିମ୍ନ ସ୍ତରରେ ରଖିବା ସହ ଆବଶ୍ୟକ ସ୍ଥାନରେ ରାପିଡ୍ ରେସ୍ପନ୍ସ ଟିମ୍କୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ରହିଛି।
ବର୍ଷା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି, ସେନେଇ ଲୋକଙ୍କୁ ନିୟମିତ ଭାବେ ଅବଗତ କରାଇବାକୁ ମଧ୍ୟ ACS ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନିୟମିତ ପ୍ରେସ୍ ବ୍ରିଫିଂ ଓ ସୋସିଆଲ୍ ମିଡିଆ ଅପଡେଟ୍ ଜାରି ରଖିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ନେଇ ଘନିଷ୍ଠ ଆନ୍ତଃବିଭାଗୀୟ ସମନ୍ୱୟ ରଖିବାକୁ କୁହାଯାଇଛି। କ୍ଷେତ୍ରସ୍ତରର ପରିସ୍ଥିତି ଓ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିଭାଗକୁ ନିୟମିତ ରିପୋର୍ଟ ଦେବାକୁ ମଧ୍ୟ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ରହିଛି।















Leave a Reply