ଭୁବନେଶ୍ୱର: ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬ ପାରିତ ହୋଇଛି। ରାଜ୍ୟରେ ନିୟାମକ ବ୍ୟବସ୍ଥାକୁ ସରଳ କରିବା, ଛୋଟ ଓ ପ୍ରକ୍ରିୟାଗତ ତ୍ରୁଟି ପାଇଁ ଅପରାଧିକ ଦଣ୍ଡର ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବା ଏବଂ ବ୍ୟବସାୟ କରିବାର ପ୍ରକ୍ରିୟାକୁ ସହଜ କରିବା ଏହି ବିଲ୍ର ପ୍ରମୁଖ ଉଦ୍ଦେଶ୍ୟ। ୨୦୨୫ର ଜନବିଶ୍ୱାସ ଆଇନ ପରେ ଏହାକୁ ରାଜ୍ୟର ନିୟାମକ ସଂସ୍କାରର ଦ୍ୱିତୀୟ ପର୍ଯ୍ୟାୟ ଭାବେ ଦେଖାଯାଉଛି।
ବିଲ୍ରେ ୧୬ଟି ରାଜ୍ୟ ଆଇନର ୬୨ଟି ପ୍ରାବଧାନରେ ସଂଶୋଧନ ପ୍ରସ୍ତାବ ରହିଛି। ଏହି ଆଇନଗୁଡ଼ିକ ୧୧ଟି ବିଭାଗ ଅଧୀନରେ ରହିଛି। ପ୍ରସ୍ତାବିତ ସଂଶୋଧନଗୁଡ଼ିକୁ ଦୁଇଟି ସୂଚୀରେ ବିଭକ୍ତ କରାଯାଇଛି। ପ୍ରଥମ ସୂଚୀରେ ୧୧ଟି ଆଇନର ୩୫ଟି ପ୍ରାବଧାନ ଏବଂ ଦ୍ୱିତୀୟ ସୂଚୀରେ ୫ଟି ଆଇନର ୨୭ଟି ପ୍ରାବଧାନ ରହିଛି। ବିଲ୍ର ଦୁଇଟି ମୁଖ୍ୟ ଦିଗ ହେଉଛି ଡିକ୍ରିମିନାଲାଇଜେସନ୍ ଓ ଡି-ରେଗୁଲେସନ୍। ଛୋଟ, ବୈଷୟିକ କିମ୍ବା ପ୍ରକ୍ରିୟାଗତ ଭୁଲ ପାଇଁ ଅନାବଶ୍ୟକ ଭାବେ ଅପରାଧିକ ମାମଲା କିମ୍ବା କାରାଦଣ୍ଡ ଭଳି କଠୋର ବ୍ୟବସ୍ଥା ପରିବର୍ତ୍ତେ ଅଧିକ ଆନୁପାତିକ ଆର୍ଥିକ ଦଣ୍ଡ ଏବଂ ସରଳ ପ୍ରଶାସନିକ ବ୍ୟବସ୍ଥା ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ, ଲାଇସେନ୍ସ ଓ ଅନୁମୋଦନ ପ୍ରକ୍ରିୟାରେ ଥିବା ଅନାବଶ୍ୟକ ଜଟିଳତା କମାଇବା ପାଇଁ ପଦକ୍ଷେପ ରହିଛି। ପୁନରାବୃତ୍ତି ହେଉଥିବା ଅନୁମୋଦନକୁ ହ୍ରାସ କରିବା, କିଛି ଶିଳ୍ପ ଲାଇସେନ୍ସ ଓ ପଞ୍ଜୀକରଣର ବୈଧତା ବଢ଼ାଇବା ଏବଂ ଯେଉଁଠାରେ ସମ୍ଭବ ସେଠାରେ ଇଣ୍ଟିମେସନ୍ ଆଧାରିତ କମ୍ପ୍ଲାଏନ୍ସ ବ୍ୟବସ୍ଥା ଆଣିବା ଭଳି ପ୍ରସ୍ତାବ ରହିଛି। ଏହି ପଦକ୍ଷେପ ଫଳରେ ଏମ୍ଏସ୍ଏମ୍ଇ, ଛୋଟ ବ୍ୟବସାୟୀ, ମାଇକ୍ରୋ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ମାନଙ୍କ ପାଇଁ ନିୟମ ପାଳନର ଭାର ହ୍ରାସ ପାଇବା ଏବଂ ବ୍ୟବସାୟିକ ପ୍ରକ୍ରିୟା ସରଳ ହେବା ଆଶା କରାଯାଉଛି। ସରକାରଙ୍କ ଅନୁସାରେ, ଏହାର ଲକ୍ଷ୍ୟ ହେଉଛି ଅନାବଶ୍ୟକ ନିୟାମକ ଜଟିଳତା, ମାମଲା ଓ ପ୍ରକ୍ରିୟାଗତ ବିଳମ୍ବ କମାଇ ଅଧିକ ବିଶ୍ୱାସଭିତ୍ତିକ ଶାସନ ବ୍ୟବସ୍ଥା ଗଢ଼ିବା।














Leave a Reply