କ୍ରିକେଟ ଖେଳୁଥିବା ବେଳେ RIଙ୍କ ମୃତ୍ୟୁ, ହୃଦ୍‌ଘାତ ଯୋଗୁଁ ଜୀବନ ଚାଲିଯାଇଥିବା ସୂଚନା

ରାୟଗଡ଼ା: କ୍ରିକେଟ ଖେଳୁଥିବା ବେଳେ ଜଣେ ରାଜସ୍ୱ ନିରୀକ୍ଷକ (RI)ଙ୍କ ଅକାଳ ମୃତ୍ୟୁକୁ ନେଇ ରାୟଗଡ଼ାରେ ଶୋକର ଛାୟା। ମୃତକ ହେଲେ ପି. ରାଜେଶ। ସେ ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ୍‌ରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଆଜି ଆଇଏସିଆର୍‌ କଲେଜ ନିକଟସ୍ଥ ଆରସିସି ଖେଳ ପଡ଼ିଆରେ କ୍ରିକେଟ ଖେଳୁଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ସୂଚନା ଅନୁସାରେ, ଖେଳ ଚାଲିଥିବା ବେଳେ ରାଜେଶ ଅସୁସ୍ଥ ଅନୁଭବ କରିବାରୁ ସହଖେଳାଳିମାନଙ୍କୁ ଏନେଇ କହିଥିଲେ। କିଛି ସମୟ ପରେ ସେ ହଠାତ୍ ମୁହଁ ବୁଲାଇ ତଳେ ପଡ଼ିଯାଇଥିଲେ। ତୁରନ୍ତ ସହଯୋଗୀ ଖେଳାଳିମାନେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ତେବେ ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଥିଲେ ମଧ୍ୟ ମୃତ୍ୟୁର ନିଶ୍ଚିତ କାରଣ ସମ୍ପର୍କରେ ଡାକ୍ତରୀ ରିପୋର୍ଟ ଆଧାରରେ ସ୍ପଷ୍ଟତା ଆସିବ। ରାଜେଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ରାୟଗଡ଼ା ବିଧାୟକ ଅପଲାସ୍ୱାମୀ କାଡ୍ରାକା ଶୋକ ପ୍ରକାଶ କରିଛନ୍ତି। ମୃତ ରାଜେଶଙ୍କ ଘର ରାୟଗଡ଼ା ସହରର ୟେଦୁ ସାହିରେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ରାୟଗଡ଼ା ପୁଲିସ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial