ପଶ୍ଚିମବଙ୍ଗରେ TMC ନେତାଙ୍କ ସନ୍ଦେହଜନକ ମୃତ୍ୟୁ: ପାର୍ଟି ଅଫିସରୁ ମିଳିଲା ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତଦେହ

ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗ ରାଜନୀତିରେ ଚାଞ୍ଚଲ୍ୟ। ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଅଗଷ୍ଟ ୧୬ ତାରିଖ ସକାଳେ ବୀରଭୂମ ଜିଲ୍ଲା ରାମପୁରହାଟସ୍ଥିତ ତାଙ୍କ ଘର ନିକଟ ପାର୍ଟି କାର୍ଯ୍ୟାଳୟରୁ ତାଙ୍କ ମୃତଦେହ ମିଳିଛି। ଖବର ପାଇ ରାମପୁରହାଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି। ପୁଲିସର ସୂଚନା ଅନୁସାରେ, ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର-୫ ଅନ୍ତର୍ଗତ ହତାତଲାପଡ଼ାରେ ଆଶିଷ ବାନାର୍ଜୀଙ୍କ ଘର ନିକଟରେ ଥିବା ପାର୍ଟି ଅଫିସରୁ ତାଙ୍କ ମୃତଦେହ ମିଳିଥିଲା। ଘଟଣା ପ୍ରଚାର ହେବା ପରେ ବହୁ ସଂଖ୍ୟାରେ ଟିଏମସି କର୍ମୀ ଓ ସ୍ଥାନୀୟ ଲୋକ ପାର୍ଟି କାର୍ଯ୍ୟାଳୟ ବାହାରେ ଏକାଠି ହୋଇଥିଲେ।

ଘଟଣାର ତଦନ୍ତ ବେଳେ ପୁଲିସକୁ ପାର୍ଟି କାର୍ଯ୍ୟାଳୟରୁ ଏକ ଚିଠି ମିଳିଥିବା ଜଣାପଡ଼ିଛି। ତେବେ ଚିଠିରେ କ’ଣ ଲେଖାଯାଇଛି, ସେନେଇ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଚିଠିଟି ଘଟଣା ସହ କୌଣସି ଭାବେ ସମ୍ପୃକ୍ତ କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ନେଇ ଅଧିକ ତଥ୍ୟ ମିଳିପାରେ। ଆଶିଷ ବାନାର୍ଜୀ ପଶ୍ଚିମବଙ୍ଗ ରାଜନୀତିର ଜଣେ ପରିଚିତ ଚେହେରା ଥିଲେ। ସେ ରାମପୁରହାଟ ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପଶ୍ଚିମବଙ୍ଗ ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଅଧୀନରେ ସ୍କୁଲ ଶିକ୍ଷା, କୃଷି ଓ ଆୟୁଷ ଭଳି ବିଭାଗ ରହିଥିଲା।

୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର କୃଷି ମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସେ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ପଦରେ ମଧ୍ୟ କାର୍ଯ୍ୟ କରିଥିଲେ। ଚଳିତ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଶିଷ ବାନାର୍ଜୀ ପୁଣିଥରେ ରାମପୁରହାଟ ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ସହ କଡ଼ା ମୁକାବିଲାରେ ସେ ପରାଜିତ ହୋଇଥିଲେ। ଏବେ ଜଣେ ବରିଷ୍ଠ ଟିଏମସି ନେତାଙ୍କ ପାର୍ଟି କାର୍ଯ୍ୟାଳୟରୁ ଏଭଳି ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ରାମପୁରହାଟରେ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟମର୍ଟମ ରିପୋର୍ଟ, ମିଳିଥିବା ଚିଠି ଓ ପୁଲିସ ତଦନ୍ତ ପରେ ହିଁ ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial