ଲଗାଣ ବର୍ଷାରେ ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର: ବାବାଙ୍କ ଲିଙ୍ଗ ଉପରେ ୮ ଫୁଟ ପାଣି, ପୀଠରେ ଫସିଲେ ୫ ଜଣ

ଅକ୍ଷର ବ୍ୟୁରୋ: ପ୍ରବଳ ବର୍ଷାରେ ଜଳମଗ୍ନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଦେବଗିରି ପାହାଡ଼ରୁ ପ୍ରବଳ ମାତ୍ରାରେ ପାଣି ମାଡ଼ିଆସିବାରୁ ପଞ୍ଚଲିଙ୍ଗେଶ୍ୱର ପୀଠରେ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି। ବାବାଙ୍କ ଲିଙ୍ଗ ଉପରେ ପ୍ରାୟ ୭ରୁ ୮ ଫୁଟ ଉଚ୍ଚର ପାଣି ଚାଲୁଥିବା ଜଣାପଡ଼ିଛି।

ବର୍ଷା ଓ ପାହାଡ଼ିଆ ପାଣିର ପ୍ରବଳ ସ୍ରୋତ ଯୋଗୁଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରାଯାଇଛି। ଏପରି ସ୍ଥିତିରେ ପୀଠ ଭିତରେ ୪ ଜଣ ପୂଜକ ଓ ଜଣେ ଟ୍ରଷ୍ଟ ବୋର୍ଡ କର୍ମଚାରୀ, ମୋଟ ୫ ଜଣ ଫସି ରହିଥିବା ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ବାଲେଶ୍ୱରରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଦେବଗିରି ପାହାଡ଼ରୁ ବର୍ଷାଜଳ ତଳକୁ ପ୍ରବଳ ବେଗରେ ଆସି ପଞ୍ଚଲିଙ୍ଗେଶ୍ୱର ପୀଠକୁ ଜଳମଗ୍ନ କରିଛି। ପାଣିର ସ୍ତର ବଢ଼ିବାରୁ ପୀଠରେ ସାଧାରଣ ଗତିବିଧି ମଧ୍ୟ ପ୍ରଭାବିତ ହୋଇଛି। ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରହିଲେ କାଉଡ଼ିଆ ଭକ୍ତମାନେ ପଞ୍ଚଲିଙ୍ଗେଶ୍ୱର ଆସିବା ସମୟରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପାଣିର ସ୍ରୋତ ଓ ପୀଠରେ ଜଳସ୍ତରକୁ ନଜରରେ ରଖି ଭକ୍ତଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial