ତାରାପୀଠରେ ଭୟାବହ ଅଗ୍ନିକାଣ୍ଡ: ହୋଟେଲରେ ନିଆଁ ଲାଗି ୬ ମୃତ

ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ତାରାପୀଠରେ ଭୟାବହ ଅଗ୍ନିକାଣ୍ଡ। ତାରାପୀଠ ଥାନା ନିକଟସ୍ଥ ଏକ ହୋଟେଲରେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ନିଆଁ ଲାଗି ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ବେଳେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି।

ଶ୍ରାବଣର ଶେଷ ସୋମବାର ଥିବାରୁ ତାରାପୀଠକୁ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଆସିଥିଲେ। ଫଳରେ ହୋଟେଲଟି ମଧ୍ୟ ଯାତ୍ରୀଙ୍କରେ ଭରପୂର ଥିଲା। ଭୋର ସମୟରେ ଅଧିକାଂଶ ଲୋକ ଗଭୀର ନିଦରେ ଥିବାବେଳେ ହଠାତ୍ ନିଆଁ ଲାଗିବାରୁ ହୋଟେଲ ଭିତରେ ଆତଙ୍କ ଖେଳିଯାଇଥିଲା। ଘଟଣାର ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଗ୍ନିକାଣ୍ଡ ପରେ ତାରାପୀଠ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାରେ ମୃତାହତଙ୍କ ସଂଖ୍ୟା, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ହୋଟେଲର ଅଗ୍ନିନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial