ଢେଙ୍କାନାଳରେ ରିଜର୍ଭ ପୁଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ରିଜର୍ଭ ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ମୃତଦେହ ତାଙ୍କ ଭଡ଼ାଘରରୁ ଉଦ୍ଧାର ହୋଇଛି। ମୃତକ ହେଲେ ଗଜପତି ଅଞ୍ଚଳର ୩୪ ବର୍ଷୀୟ ଶଙ୍କର ପ୍ରଧାନ। ସେ ରିଜର୍ଭ ପୁଲିସରେ OAPF କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ସହରର ଖମାରସାହି ଅଞ୍ଚଳରେ ସେ ପରିବାର ସହ ଭଡ଼ାଘରେ ରହୁଥିଲେ।

ସୂଚନା ଅନୁସାରେ, ରବିବାର ଡ୍ୟୁଟିରୁ ଫେରିବା ପରେ ଶଙ୍କର ପରିବାର ସହ ଖିଆପିଆ କରିଥିଲେ। ପରେ କୌଣସି ଏକ କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିବା ଜଣାପଡ଼ିଛି। ଏହାପରେ ପରିବାରର ସମସ୍ତେ ଶୋଇବାକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ଶଙ୍କରଙ୍କୁ ଘରର ରୋଷେଇ ଘର ନିକଟରେ ଅଚେତ ଅବସ୍ଥାରେ ଦେଖାଯାଇଥିଲା। ତାଙ୍କ ପତ୍ନୀ ପଡ଼ୋଶୀଙ୍କୁ ଡାକିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଟାଉନ ଥାନାରେ ମାମଲା ନମ୍ବର ୩୩/୨୬ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଟାଉନ ଥାନା ଏସ୍‌ଆଇ ଶଶୀଭୂଷଣ ବେହେରା ଏନେଇ ସୂଚନା ଦେଇଛନ୍ତି। ତେବେ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial