ଗୋଚାଲାଣ ବେଳେ ଭୟଙ୍କର ଧକ୍କା: ସ୍କର୍ପିଓ-ପିକଅପ୍ ମୁହାଁମୁହିଁ, ୩ ଫେରାର

ଅକ୍ଷର ବ୍ୟୁରୋ: ବେଆଇନ ଗୋଚାଲାଣ ବେଳେ ଦୁର୍ଘଟଣା। ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ଭୋର ପ୍ରାୟ ୪ଟା ସମୟରେ ସ୍କର୍ପିଓ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି। ଉଭୟ ଗାଡ଼ିରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ରହିଛି। ଦୁର୍ଘଟଣା ପରେ ସ୍କର୍ପିଓରେ ଥିବା ପ୍ରାୟ ୫ରୁ ୬ଟି ବାଛୁରୀ ଏବଂ ପିକଅପ୍ ଭ୍ୟାନ୍‌ରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ୨୮ରୁ ୩୦ଟି ଗୋରୁ ଥିବା ଜଣାପଡ଼ିଛି। ପିକଅପ୍ ଭ୍ୟାନ୍‌ରେ ଡ୍ରାଇଭର କିମ୍ବା ଅନ୍ୟ କେହି ନଥିବାବେଳେ ସ୍କର୍ପିଓ ଡ୍ରାଇଭର ଆହତ ଅବସ୍ଥାରେ ଗାଡ଼ି ଭିତରେ ପଡ଼ି ରହିଥିଲେ। ଆହତ ସ୍କର୍ପିଓ ଡ୍ରାଇଭରଙ୍କ କହିବା ଅନୁସାରେ, ମୋଟ ୪ ଜଣ ଦୁଇଟି ଗାଡ଼ିରେ କଟକ ଜଗତପୁର ଅଞ୍ଚଳରୁ ଆସିଥିଲେ। ଢେଙ୍କାନାଳ ହିନ୍ଦୋଳ ରୋଡ୍‌ରୁ ଗୋରୁ ବୋଝେଇ କରି ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

ତାଙ୍କ କହିବା ଅନୁସାରେ, ଏକ ନାଇଟ୍ କୋଚ୍ ବସ୍ ପିକଅପ୍ ଭ୍ୟାନ୍‌କୁ ସାଇଡ୍ ମାରିବାରୁ ପିକଅପ୍ ଡ୍ରାଇଭର ହଠାତ୍ ବ୍ରେକ୍ ଦେଇଥିଲେ। ଫଳରେ ପଛରେ ଆସୁଥିବା ସ୍କର୍ପିଓ ନିୟନ୍ତ୍ରଣ ହରାଇ ପିକଅପ୍ ଭ୍ୟାନ୍‌ର ପଛରେ ଜୋର୍‌ରେ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍କର୍ପିଓ ଡ୍ରାଇଭର ଆହତ ଅବସ୍ଥାରେ ଗାଡ଼ି ଭିତରେ ରହିଥିଲେ। ତାଙ୍କର ମଦ୍ୟପାନ କରିଥିବା ଅଭିଯୋଗ ମଧ୍ୟ ଆସିଛି। ଅନ୍ୟପକ୍ଷରେ, ତାଙ୍କ ସହ ଥିବା ଅନ୍ୟ ୩ ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣା ପରେ ପୁଲିସ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଗୋରୁଗୁଡ଼ିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବେଆଇନ ଗୋଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଗୋରୁଗୁଡ଼ିକ କେଉଁଠାକୁ ନିଆଯାଉଥିଲା, ସେନେଇ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial