କୁକୁର ଭୟରେ ଦୌଡ଼ିଲେ, ୫୦ ଫୁଟ୍ ଗଭୀର କୂଅରେ ଖସିଲେ ନାବାଳିକା

ଅକ୍ଷର ବ୍ୟୁରୋ: ଉତ୍ତରପ୍ରଦେଶର ଫରୁଖାବାଦରୁ ଆସିଛି ଚମକାଇଦେବା ଭଳି ଘଟଣା । ସ୍କୁଲରୁ ଘରକୁ ଫେରୁଥିବାବେଳେ କୁକୁର ଭୁକିବାରୁ ଭୟଭୀତ ହୋଇ ଦୌଡ଼ିଥିଲେ ଜଣେ ନାବାଳିକା । ଆଉ ଏହି ସମୟରେ ଜରାଜୀର୍ଣ୍ଣ କୂଅ ଉପରେ ଥିବା ପଟା ଭାଙ୍ଗିଯିବାରୁ ପ୍ରାୟ ୫୦ ଫୁଟ୍ ଗଭୀର କୂଅ ଭିତରକୁ ଖସିପଡ଼ିଥିଲେ । ତେବେ ପୁଲିସ ଓ ଉଦ୍ଧାରକାରୀ ଦଳର ତତ୍ପରତା ଯୋଗୁଁ ନାବାଳିକାଙ୍କୁ ଶେଷରେ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣାଟି ଫରୁଖାବାଦ ଜିଲ୍ଲା କାୟମଗଞ୍ଜ ଥାନା ଅଞ୍ଚଳର ରସିଦାବାଦ ବଲ୍ଲଭ ଗାଁରେ ଘଟିଛି । ସୌମ୍ୟା ନାମକ ନାବାଳିକା ନିଜ ଭଉଣୀମାନଙ୍କ ସହ ସ୍କୁଲରୁ ଘରକୁ ଫେରୁଥିଲେ । ରାସ୍ତାରେ ହଠାତ୍ ଏକ କୁକୁର ତାଙ୍କ ଆଡ଼କୁ ଭୁକିବାରୁ ସେ ଭୟରେ ଦୌଡ଼ି ପାଖରେ ଥିବା ପୁରୁଣା କୂଅ ଉପରେ ଚଢ଼ିଯାଇଥିଲେ । ତେବେ କୂଅ ଉପରେ ଥିବା ଜରାଜୀର୍ଣ୍ଣ ପଟା ହଠାତ୍ ଭାଙ୍ଗିଯିବାରୁ ସୌମ୍ୟା କୂଅ ଭିତରକୁ ଖସିପଡ଼ିଥିଲେ ।

ନାବାଳିକାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଇଥିଲା । ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ କୂଅଟି ପ୍ରାୟ ୫୦ ଫୁଟ୍ ଗଭୀର ହୋଇଥିବାରୁ ଭିତରେ ଅକ୍ସିଜେନ୍ କମ୍ ଥିବା ଆଶଙ୍କା କରାଯାଇଥିଲା । ପରିସ୍ଥିତିର ଗୁରୁତ୍ୱକୁ ଦେଖି ପ୍ରଶିକ୍ଷିତ ପୁଲିସ କର୍ମଚାରୀ ମନୋଜ କୁମାର ଅକ୍ସିଜେନ୍ ମାସ୍କ ପିନ୍ଧି କୂଅ ଭିତରକୁ ଓହ୍ଲାଇଥିଲେ । ଦୁଇରୁ ତିନିଥର ଉଦ୍ଧାର ଉଦ୍ୟମ ପରେ ଶେଷରେ ସୌମ୍ୟାଙ୍କୁ ସୁରକ୍ଷିତ ଭାବେ କୂଅରୁ ବାହାର କରାଯାଇଥିଲା ।

ଉଦ୍ଧାର ପରେ ନାବାଳିକାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା । ଡାକ୍ତରଙ୍କ ଅନୁସାରେ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦମୁକ୍ତ ରହିଛି ।ନାବାଳିକାଙ୍କ ଜୀବନ ବଞ୍ଚାଇବାରେ ସାହସିକତା ଦେଖାଇଥିବା ପୁଲିସ କର୍ମଚାରୀ ମନୋଜ କୁମାରଙ୍କୁ ପୁରସ୍କୃତ କରିବା ପାଇଁ ଅଧିକାରୀଙ୍କ ପକ୍ଷରୁ ସୁପାରିଶ କରାଯାଇଛି । ଅନ୍ୟପଟେ, ଏହି ଘଟଣା ପରେ ଗାଁ ଓ ଆଖପାଖ ଅଞ୍ଚଳରେ ଥିବା ଖୋଲା ଓ ଜରାଜୀର୍ଣ୍ଣ କୂଅଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି କୂଅଗୁଡ଼ିକୁ ଘୋଡ଼ାଇବା ସହ ଚାରିପାଖରେ ସୁରକ୍ଷିତ ବାଡ଼ ନିର୍ମାଣ କରିବାକୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି ହେଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial