ଅକ୍ଷର ବ୍ୟୁରୋ: ଆମେରିକାର ଆଲାସ୍କାର ପଶ୍ଚିମ ଅଞ୍ଚଳରେ ଏକ ଚାର୍ଟର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି । ବିମାନରେ ୨ ଜଣ ପାଇଲଟ୍ଙ୍କ ସହ ୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ମୃତକମାନଙ୍କ ପରିଚୟ ସମ୍ପର୍କରେ ଅଧିକାରୀମାନେ ସେମାନଙ୍କ ପରିବାରକୁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗୁରୁବାର ବିମାନଟି ଆଲାସ୍କାର ଆଙ୍କୋରେଜ୍ରୁ କେପ୍ ନ୍ୟୁଏନହାମ୍ ଅଭିମୁଖେ ଉଡ଼ାଣ ଭରିଥିଲା । ଲ୍ୟାଣ୍ଡିଂ କରିବା ପୂର୍ବରୁ ବିମାନଟି ଏକ ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ୍ (NTSB) ପକ୍ଷରୁ କୁହାଯାଇଛି । ବିମାନଟି ଯେଉଁଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ସ୍ଥାନ ଆଙ୍କୋରେଜ୍ଠାରୁ ପ୍ରାୟ ୪୫୦ ମାଇଲ୍ ପଶ୍ଚିମରେ ଥିବା ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ । ଏକ ରାଡାର୍ ସାଇଟ୍ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଘଟଣାର ଖବର ପାଇବା ପରେ ଆଲାସ୍କା ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ତୁରନ୍ତ ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା । ତେବେ ପରେ ବିମାନରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଆମେରିକାର ସାମରିକ କମାଣ୍ଡ ପକ୍ଷରୁ ନିଶ୍ଚିତ କରାଯାଇଛି ।
ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ସିଭିଲିଆନ୍-କଣ୍ଟ୍ରାକ୍ଟେଡ୍ ଚାର୍ଟର୍ ବିମାନ ବୋଲି ଜଣାପଡ଼ିଛି । ତେବେ ବିମାନଟି କେଉଁ କାରଣରୁ ଲ୍ୟାଣ୍ଡିଂ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ପ୍ରକୃତ କାରଣ ଜାଣିବାକୁ NTSB ଓ ସମ୍ପୃକ୍ତ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ମୃତକମାନଙ୍କ ପରିଚୟ ସମ୍ପର୍କରେ ପରିବାରବର୍ଗଙ୍କୁ ଅବଗତ କରାଯାଇଥିବାରୁ ଅଧିକାରୀମାନେ ପରବର୍ତ୍ତୀ ସମୟରେ ଅଧିକ ବିବରଣୀ ପ୍ରକାଶ କରିବେ । ଦୁର୍ଗମ ଅଞ୍ଚଳରେ ବିମାନ ଦୁର୍ଘଟଣା ଓ ୮ ଜଣଙ୍କ ମୃତ୍ୟୁ ଘଟଣା ପରେ ଆଲାସ୍କାରେ ଶୋକର ଛାୟା ଖେଳିଯାଇଛି ।














Leave a Reply