ପେରୁରେ ଭୟଙ୍କର ଭୂମିକମ୍ପ: ୬.୭ ତୀବ୍ରତାର ଝଟକା, ୨ ଆହତ ହେବା ନେଇ ରିପୋର୍ଟ

ଅକ୍ଷର ବ୍ୟୁରୋ: ପେରୁର ଦକ୍ଷିଣ ଆଣ୍ଡିଜ୍ ପାହାଡ଼ ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ। ୬.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ପେରୁର ଦକ୍ଷିଣ ଅଞ୍ଚଳର ଅନେକ ସ୍ଥାନ ଥରି ଉଠିଛି। ପ୍ରାଥମିକ ଭାବେ ବଡ଼ ଧରଣର ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ, କିଛି ରିପୋର୍ଟରେ ୨ ଜଣ ଆହତ ହୋଇଥିବା ଦାବି କରାଯାଇଛି।

ଭୂମିକମ୍ପର କେନ୍ଦ୍ର ଅୟାକୁଚୋ ଅଞ୍ଚଳର ପାରିନାକୋଚାସ୍ ପ୍ରଦେଶର ଉପାହୁଆଚୋ ସହରଠାରୁ ପ୍ରାୟ ୩୮ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ଜଣାପଡ଼ିଛି। ଭୂପୃଷ୍ଠଠାରୁ ପ୍ରାୟ ୬୬.୭ କିଲୋମିଟର ଗଭୀରରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା। ଭୂମିକମ୍ପର ଝଟକା ପେରୁର ଦକ୍ଷିଣ ଭାଗର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିଲା। ଇକା ଓ ଆରେକିପା ଅଞ୍ଚଳରେ ମଧ୍ୟ ଲୋକେ ଭୂମିକମ୍ପର ଝଟକା ଅନୁଭବ କରିଥିବା ଜଣାପଡ଼ିଛି।

ଭୂମିକମ୍ପର କେନ୍ଦ୍ର ବହୁତ ଗଭୀରରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି କମ୍ ରହିଥିବା କୁହାଯାଉଛି। ତେବେ କିଛି ରିପୋର୍ଟରେ ଘର ଓ ଅନ୍ୟାନ୍ୟ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦାବି କରାଯାଇଛି। କିଛି ସ୍କୁଲ, ଘର ଓ ହସ୍ପିଟାଲରେ ମଧ୍ୟ କ୍ଷତି ହୋଇଥିବା ଖବର ଆସିଛି। ତେବେ ଏନେଇ ଅଧିକାରୀଙ୍କ ପକ୍ଷରୁ ବଡ଼ ଧରଣର କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପେରୁ ସମୁଦ୍ରକୂଳବର୍ତ୍ତୀ ଦେଶ ହୋଇଥିଲେ ମଧ୍ୟ ଏହି ଭୂମିକମ୍ପ ପରେ ସୁନାମିର କୌଣସି ସତର୍କତା ଜାରି କରାଯାଇନାହିଁ। ଏହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆତଙ୍କର କୌଣସି ବଡ଼ କାରଣ ନଥିବା କୁହାଯାଉଛି।

ପେରୁ ପ୍ରଶାନ୍ତ ମହାସାଗର ଚାରିପାଖରେ ଥିବା ‘ରିଙ୍ଗ ଅଫ୍ ଫାୟାର’ ଅଞ୍ଚଳରେ ରହିଥିବାରୁ ଏଠାରେ ଭୂମିକମ୍ପୀୟ କାର୍ଯ୍ୟକଳାପ ସାଧାରଣ। ତେବେ ଏହି ଘଟଣା ପୁରୁଣା ଭୟଙ୍କର ଭୂମିକମ୍ପର ସ୍ମୃତିକୁ ମଧ୍ୟ ତାଜା କରିଛି। ୨୦୦୭ରେ ପେରୁର ଇକା ଅଞ୍ଚଳରେ ୭.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ସେହି ଭୂମିକମ୍ପରେ ପ୍ରାୟ ୬୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ୬.୭ ତୀବ୍ରତାର ଭୂମିକମ୍ପ ପରେ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial