ସାତକୋଶିଆ ଗାଁ ସ୍ଥାନାନ୍ତରଣର ହେବ ତଦନ୍ତ: OHRC ନିର୍ଦ୍ଦେଶ ପରେ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ

ଅକ୍ଷର ବ୍ୟୁରୋ: ସାତକୋଶିଆ ବାଘ ଅଭୟାରଣ୍ୟରେ ଗାଁ ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ବଡ଼ ନିଷ୍ପତ୍ତି। ଓଡ଼ିଶା ମାନବାଧିକାର ଆୟୋଗ (OHRC)ର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଗାଁ ପୁନର୍ବାସ ଓ ସ୍ଥାନାନ୍ତର ପ୍ରକ୍ରିୟାର ତଦନ୍ତ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗଠିତ ଏହି କମିଟିର ଅଧ୍ୟକ୍ଷତା କରିବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ। କମିଟିରେ ଜଙ୍ଗଲ, ଆଇନ ଏବଂ ଏସ୍‌ଟି ଓ ଏସ୍‌ସି ବିକାଶ ବିଭାଗର ସଚିବଙ୍କ ସହ ପୂର୍ବତନ ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ସଦସ୍ୟ ସଚିବ ଅନୁପ ନାୟକଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯାଇଛି। OHRCର ନିର୍ଦ୍ଦେଶ ଅନୁସାରେ ବନ୍ୟପ୍ରାଣୀ ଆଇନ, ବନ ଅଧିକାର ଆଇନ-୨୦୦୬ ଏବଂ ପୁନର୍ବାସ ନୀତି ସମ୍ପର୍କରେ ଜ୍ଞାନ ଥିବା ଜଣେ ସ୍ୱାଧୀନ ବିଶେଷଜ୍ଞ ଭାବେ ଅନୁପ ନାୟକଙ୍କୁ କମିଟିରେ ସାମିଲ କରାଯାଇଛି।

ଏହି କମିଟି ରାଇଗୁଡ଼ାକୁ ବାଦ୍ ଦେଇ ସାତକୋଶିଆ ବାଘ ଅଭୟାରଣ୍ୟରେ କରାଯାଇଥିବା ସମସ୍ତ ଗାଁ ସ୍ଥାନାନ୍ତର ପ୍ରକ୍ରିୟାର ଯାଞ୍ଚ କରିବ। ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବା ସମୟରେ ସମ୍ପୃକ୍ତ ଆଇନ ଓ ନିୟମକାନୁନ ପାଳନ ହୋଇଥିଲା କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ କରାଯିବ। ବିଶେଷକରି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨, ବନ ଅଧିକାର ଆଇନ-୨୦୦୬ ଏବଂ NTCAର ସମ୍ପୃକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ଥାନାନ୍ତର ପ୍ରକ୍ରିୟା ସଠିକ୍ ଭାବେ ହୋଇଥିଲା କି ନାହିଁ, ତାହା ଯାଞ୍ଚ କରିବ କମିଟି। ସାତକୋଶିଆରେ ବାଘ ସଂରକ୍ଷଣ ଓ ସ୍ଥାନୀୟ ଲୋକଙ୍କ ଅଧିକାର ଉଭୟ ଦିଗରୁ ଏହି ତଦନ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ଏବେ କମିଟିର ଯାଞ୍ଚ ପରେ ସାତକୋଶିଆର ଗାଁ ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତା’ ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial