ଜେଲ୍ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଦୁଇଗୁଣ ବଢ଼ିଲା ୟୁନିଫର୍ମ ଭତ୍ତା

ଅକ୍ଷର ବ୍ୟୁରୋ: ଜେଲ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବଢ଼ିଲା ବାର୍ଷିକ ୟୁନିଫର୍ମ ଭତ୍ତା। ଏହି ଭତ୍ତାକୁ ଦୁଇଗୁଣ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ନୂଆ ବର୍ଦ୍ଧିତ ଭତ୍ତା ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ।

ନିଷ୍ପତ୍ତି ଅନୁଯାୟୀ, ଜେଲ୍ ଡିଆଇଜିଙ୍କଠାରୁ ଆସିଷ୍ଟାଣ୍ଟ ମାଟ୍ରନ୍ ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ବାର୍ଷିକ ୟୁନିଫର୍ମ ଭତ୍ତା ୩,୦୦୦ ଟଙ୍କାରୁ ବଢ଼ି ୬,୦୦୦ ଟଙ୍କା ହୋଇଛି। ସେହିପରି ୨,୧୨୨ ଜଣ ମୁଖ୍ୟ ୱାର୍ଡର, ୱାର୍ଡର ଓ ମହିଳା ୱାର୍ଡରଙ୍କ ୟୁନିଫର୍ମ ଭତ୍ତା ୪,୦୦୦ ଟଙ୍କାରୁ ଦୁଇଗୁଣ ବଢ଼ି ୮,୦୦୦ ଟଙ୍କା କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ମୋଟ ପ୍ରାୟ ୨,୫୦୦ ଜେଲ୍ ଅଧିକାରୀ ଓ କର୍ମଚାରୀ ବର୍ଦ୍ଧିତ ୟୁନିଫର୍ମ ଭତ୍ତାରୁ ଉପକୃତ ହେବେ। ନୂଆ ଭତ୍ତା ବ୍ୟବସ୍ଥା ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବା ସହ ଯୋଗ୍ୟ କର୍ମଚାରୀମାନେ ଏହାର ଲାଭ ପାଇପାରିବେ। ଏହି ଭତ୍ତା ବୃଦ୍ଧି ଯୋଗୁଁ ସରକାରଙ୍କ ଉପରେ ପ୍ରତିବର୍ଷ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଜେଲ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ୟୁନିଫର୍ମ ସମ୍ବନ୍ଧୀୟ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସରକାର ଏହି ବୃଦ୍ଧି କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial