ବାଲେଶ୍ୱରରେ ଧଳାଜହର ଉପରେ ବଡ଼ ଆକ୍ସନ୍: ୧୮ ଲକ୍ଷର ନିଶାଦ୍ରବ୍ୟ ଜବତ, ମହିଳା ଗିରଫ

ଅକ୍ଷର ବ୍ୟୁରୋ: ବାଲେଶ୍ୱରରେ ଧଳାଜହର କାରବାର ଉପରେ ଅବକାରୀ ବିଭାଗର ବଡ଼ ଆକ୍ସନ୍ । ନୀଳଗିରି ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୧୮ ଲକ୍ଷ ଟଙ୍କାର ୧୮୦ ଗ୍ରାମ ଧଳାଜହର ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ଚଢ଼ାଉ ସମୟରେ ଅନ୍ୟ କିଛି ଅଭିଯୁକ୍ତ ଖସି ପଳାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ନୀଳଗିରି ଦକ୍ଷିଣ ନରସିଂହପୁର ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ୧୮୦ ଗ୍ରାମ ଧଳାଜହର ଜବତ ହୋଇଥିଲା । ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଘଟଣାରେ ମିନତୀ ମଲିକ ନାମକ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଜବତ ନିଶାଦ୍ରବ୍ୟକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗିରଫ ମହିଳାଙ୍କୁ ପଚରାଉଚରା କରାଯାଉଛି ।

ଅବକାରୀ ବିଭାଗର ଚଢ଼ାଉ ସମୟରେ ଅନ୍ୟ କିଛି ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି । ସେମାନଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି । ନୀଳଗିରି ଅଞ୍ଚଳରେ ବେଆଇନ ନିଶା କାରବାରକୁ ନେଇ ଅବକାରୀ ବିଭାଗ ଏବେ ଅଧିକ ସଜାଗ ହୋଇଛି । ଜବତ ଧଳାଜହର କେଉଁଠାରୁ ଆସୁଥିଲା, ଏହାର ଚେର କେତେ ଦୂର ଲମ୍ବିଛି ଏବଂ ଏହି କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି । ନୀଳଗିରି ଅଞ୍ଚଳରେ ଚୋରା ନିଶା କାରବାର ଉପରେ ରୋକ୍ ଲଗାଇବା ସହ ନିଶା ବେପାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଅବକାରୀ ବିଭାଗର ଅଭିଯାନ ଜାରି ରହିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial