ଅକ୍ଷର ବ୍ୟୁରୋ: ଗଞ୍ଜେଇ ଚାଷକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ । ବେଆଇନ ଗଞ୍ଜେଇ ଚାଷରେ ସାର ବ୍ୟବହାର କରୁଥିବା କିମ୍ବା ଏଥିରେ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଗଞ୍ଜେଇ ଚାଷରେ ସାର ବ୍ୟବହାର ହେଉଥିବା ଅଭିଯୋଗକୁ ନେଇ ସରକାର ସଜାଗ ରହିଥିବା କହିଛନ୍ତି ମନ୍ତ୍ରୀ । କେବଳ ବେଆଇନ ଗଞ୍ଜେଇ ଚାଷ ନୁହେଁ, ଏହା ପଛରେ ରହିଥିବା ସାର ଯୋଗାଣ ବ୍ୟବସ୍ଥା ଉପରେ ମଧ୍ୟ ସରକାରଙ୍କ ନଜର ରହିଥିବା ସ୍ପଷ୍ଟ ହୋଇଛି ।
ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା, ଏଥିପାଇଁ ସାର ଯୋଗାଇବା କିମ୍ବା ଚାଷୀଙ୍କୁ ଏହି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଛାଡ଼ ଦିଆଯିବ ନାହିଁ । ସେମାନଙ୍କ ବିରୋଧରେ ନିୟମ ଅନୁସାରେ କଡ଼ା ପଦକ୍ଷେପ ନିଆଯିବ ବୋଲି କୃଷି ମନ୍ତ୍ରୀ ସତର୍କ କରିଛନ୍ତି । ସରକାରଙ୍କ ନଜର ଏବେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳ ସହ ଏହାକୁ ସାର ଯୋଗାଉଥିବା ବ୍ୟବସ୍ଥା ଉପରେ ମଧ୍ୟ ରହିଛି ।
ଗଞ୍ଜେଇ ଚାଷରେ ସାରର ବ୍ୟବହାରକୁ ନେଇ ଅଭିଯୋଗ ପରେ ସାରର ଉତ୍ସ ଓ ବ୍ୟବହାର ଉପରେ ନଜର ରଖାଯାଉଛି । କେଉଁଠାରୁ ସାର ଆସୁଛି, କିଏ ଏହାକୁ ବ୍ୟବହାର କରୁଛି ଏବଂ ବେଆଇନ ଗଞ୍ଜେଇ ଚାଷ ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି । ଏହାଦ୍ୱାରା ଗଞ୍ଜେଇ ଚାଷ ପାଇଁ ସାର ଯୋଗାଣ କରୁଥିବା ନେଟୱର୍କ ଥିଲେ ତାହାକୁ ଚିହ୍ନଟ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । ଅନ୍ୟପଟେ ରାଜ୍ୟରେ ସାରର କୌଣସି ଅଭାବ ନଥିବା ସ୍ପଷ୍ଟ କରିଛନ୍ତି କୃଷି ମନ୍ତ୍ରୀ । ସମସ୍ତ ଚାଷୀଙ୍କ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ସାର ମହଜୁଦ ରହିଛି ବୋଲି ସେ କହିଛନ୍ତି ।
ତେଣୁ ସାରକୁ ନେଇ ଚାଷୀମାନେ ଆତଙ୍କିତ ନହୋଇ ନିଜ ଆବଶ୍ୟକତା ଅନୁସାରେ ସାର ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବେଆଇନ ଗଞ୍ଜେଇ ଚାଷକୁ ରୋକିବା ସହ ସାରର ଅପବ୍ୟବହାର ଉପରେ ନଜର ଉଭୟ ଦିଗରେ ସରକାର କଡ଼ା ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ମନ୍ତ୍ରୀଙ୍କ ଚେତାବନୀରୁ ସ୍ପଷ୍ଟ ହୋଇଛି । ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ, ସାର ଯୋଗାଣ କିମ୍ବା ଏହାର ଅପବ୍ୟବହାରରେ ଯେଉଁମାନଙ୍କ ସମ୍ପୃକ୍ତି ରହିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।












Leave a Reply