ସରକାରୀ ଚାକିରି ନାଁରେ ୨.୪୫ କୋଟିର ଠକେଇ! ୫ ଗିରଫ, ଖୋଲୁଛି ଚାକିରି ଠକ ରାକେଟ୍‌ର ଗୁମର

ଅକ୍ଷର ବ୍ୟୁରୋ: ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀଙ୍କୁ ଟାର୍ଗେଟ୍‌ କରି ବଡ଼ ଧରଣର ଠକେଇ । ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ପ୍ରାୟ ୨ କୋଟି ୪୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏହି ମାମଲାରେ ବ୍ରହ୍ମପୁର ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଠକେଇ ରାକେଟ୍‌ର ଚେର ଖୋଜୁଛି । ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗରେ ଚାକିରି କରାଇଦେବାକୁ କହି ଚାକିରି ଆଶାୟୀଙ୍କୁ ପ୍ରଲୋଭିତ କରୁଥିଲେ । ସରକାରୀ ଚାକିରି ପାଇବା ଆଶାରେ ଅନେକ ଯୁବକ-ଯୁବତୀ ଅଭିଯୁକ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଟଙ୍କା ନେବା ପରେ ନା ମିଳିଲା ଚାକିରି, ନା ଫେରିଲା ଟଙ୍କା । ଶେଷରେ ଠକେଇର ଶିକାର ହୋଇଥିବା ଆଶାୟୀମାନେ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ବ୍ରହ୍ମପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ମୋବାଇଲ୍‌ ଫୋନ୍‌, ଚାକିରି ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଏହା କେବଳ ୫ ଜଣଙ୍କ ମଧ୍ୟରେ ସୀମିତ ଥିଲା ନା ଏହା ପଛରେ ଆହୁରି ବଡ଼ ନେଟୱର୍କ ରହିଛି, ତାହା ଏବେ ପୁଲିସ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

ଏହି ରାକେଟ୍‌ରେ ଆଉ କେତେ ଜଣ ସମ୍ପୃକ୍ତ? କେତେ ଜଣ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରାଯାଇଛି? ଠକେଇ ଟଙ୍କାର ପ୍ରକୃତ ପରିମାଣ କେତେ? ଏସବୁ ଦିଗରେ ପୁଲିସ ଖୋଳତାଡ଼ ଜାରି ରଖିଛି । ସରକାରୀ ଚାକିରିର ଲୋଭ ଦେଖାଇ ଯୁବପିଢ଼ିଙ୍କୁ ଟାର୍ଗେଟ୍‌ କରୁଥିବା ଏହି ଠକେଇ ରାକେଟ୍‌ର ଚେର କେତେ ଦୂର ଲମ୍ବିଛି, ତଦନ୍ତ ଆଗକୁ ବଢ଼ିବା ପରେ ତାହାର ପୂରା ଚିତ୍ର ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial