ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ରବିବାର ଅପରାହ୍ଣରେ ଘଟିଛି ବଡ଼ ଅଘଟଣ। ନାନକପୁରା ଗୁରୁଦ୍ୱାରା ନିକଟରେ ଥିବା ଏକ ୫ ମହଲା ବଏଜ୍ PG କୋଠା ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳୁ ୬ରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କିଛି ଛାତ୍ର ଫସିଥିବା ଆଶଙ୍କାରେ ଉଦ୍ଧାର ଅଭିଯାନ ଜାରି ରହିଛି। ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ AIIMS ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି। ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ଭୁଶୁଡ଼ିଥିବା କୋଠାଟି ପ୍ରାୟ ୪୦ରୁ ୫୦ ବର୍ଷ ପୁରୁଣା ଥିଲା। ଘଟଣା ସମୟରେ କୋଠାର ବେସମେଣ୍ଟରେ ମରାମତି କାମ ଚାଲିଥିଲା। ଏହି ସମୟରେ ହିଁ ପୂରା କୋଠା ଭୁଶୁଡ଼ି ପଡ଼ିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, ଅଧିକ ଭଡ଼ା ଜାଗା ସୃଷ୍ଟି କରିବା ପାଇଁ ପୂର୍ବରୁ ନିର୍ମିତ କୋଠା ତଳେ ବେସମେଣ୍ଟ ଖୋଳାଯାଉଥିଲା। ଉପର ଭାଗକୁ ମଜବୁତ କରାଯାଇଥିଲେ ମଧ୍ୟ ତଳ ଭାଗର ପିଲାର ଓ ମୂଳଦୁଆ ଦୁର୍ବଳ ଥିବା ଅଭିଯୋଗ ହୋଇଛି। ବେସମେଣ୍ଟରେ ପାଣି ଜମିଥିବା ନେଇ ମଧ୍ୟ କୁହାଯାଉଛି। PGରେ ପୂର୍ବରୁ ରହୁଥିବା ଜଣେ ଛାତ୍ରଙ୍କ ଦାବି ଅନୁସାରେ, କୋଠାର କାନ୍ଥରେ ଆଗରୁ ଫାଟ ଦେଖାଦେଇଥିଲା। ତେବେ ବେସମେଣ୍ଟ କାମ ଯୋଗୁଁ ହିଁ କୋଠା ଭୁଶୁଡ଼ିଲା କି ଅନ୍ୟ କୌଣସି ଢାଞ୍ଚାଗତ ତ୍ରୁଟି ଏହା ପଛରେ ରହିଛି, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ବୈଷୟିକ ରିପୋର୍ଟ ଆସିନାହିଁ। ବେସମେଣ୍ଟ କାମ ଅସୁରକ୍ଷିତ କିମ୍ବା ବେଆଇନ ଭାବେ ହୋଇଥିଲା କି ନାହିଁ, ତଦନ୍ତରେ ତାହା ଯାଞ୍ଚ କରାଯିବ।
ଭୁଶୁଡ଼ିଥିବା କୋଠାଟି ‘Hostel Daze’ ନାମରେ ବଏଜ୍ PG ଭାବେ ଚାଲୁଥିଲା। ତଳ ମହଲାରେ ଏକ ମେଡିସିନ୍ ଦୋକାନ ଥିବା ବେଳେ ଉପର ମହଲାଗୁଡ଼ିକରେ ଛାତ୍ରମାନେ ରହୁଥିଲେ। ଦିଲ୍ଲୀ ୟୁନିଭର୍ସିଟିର ସାଉଥ୍ କ୍ୟାମ୍ପସ ନିକଟରେ ଏହି ଅଞ୍ଚଳ ଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ PGରେ ରହନ୍ତି। ‘Hostel Daze’ରେ ମୁଖ୍ୟତଃ କେରଳ, ହରିୟାଣା ଓ ଉତ୍ତରପ୍ରଦେଶର ଛାତ୍ରମାନେ ରହି ପାଠ ପଢ଼ୁଥିଲେ। ଗୋଟିଏ ବେଡ୍ର ମାସିକ ଭଡ଼ା ପ୍ରାୟ ୧୨ ହଜାର ଟଙ୍କା ଥିବା କୁହାଯାଉଛି। କୋଠା ଭୁଶୁଡ଼ିବା ପରେ ଦିଲ୍ଲୀ ପୁଲିସ ସାଉଥ୍ କ୍ୟାମ୍ପସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ FIR ରୁଜୁ କରିଛି। ଧାରା ୧୦୫—ଅଜାଣତରେ ଦଣ୍ଡନୀୟ ନରହତ୍ୟା, ଧାରା ୨୯୦—କୋଠା ନିର୍ମାଣ, ଭାଙ୍ଗିବା ବା ମରାମତି ବେଳେ ଅବହେଳା ପ୍ରଦର୍ଶନ ଏବଂ ଧାରା ୧୨୫—ଅନ୍ୟମାନଙ୍କ ଜୀବନ ଓ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ଅଧୀନରେ ମାମଲା ଦାଏର ହୋଇଛି।
ଘର ମାଲିକ ହରିରାମ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ FIR ରୁଜୁ ହୋଇଛି। ଅଭିଯୁକ୍ତ ମାଲିକ ଓ ଅନ୍ୟମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ ଜାରି ରହିଛି। ଆନନ୍ଦ ଗୁରୁଗ୍ରାମରେ ରହୁଥିବା ଏବଂ ସତ୍ୟ ନିକେତନ ଅଞ୍ଚଳରେ ୩ରୁ ୪ଟି PG ଚଳାଉଥିବା କୁହାଯାଉଛି। ଘଟଣାକୁ ଗୁରୁତ୍ୱ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉଦ୍ଧାର କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି।
ରବିବାର ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସତ୍ୟ ନିକେତନର ନାନକପୁରା ଗୁରୁଦ୍ୱାରା ନିକଟରେ ଘଟିଥିଲା ଏହି ଅଘଟଣ। କୋଠା ଭୁଶୁଡ଼ିବା ପରେ ଦିଲ୍ଲୀ ଅଗ୍ନିଶମ ବାହିନୀ, NDRF, ଦିଲ୍ଲୀ ପୁଲିସ, MCD ସମେତ ଅନ୍ୟ ଏଜେନ୍ସିର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା କାମ ଜାରି ରହିଛି। ଭଗ୍ନାବଶେଷ ତଳେ ଆହୁରି କିଛି ଛାତ୍ର ଫସିଥିବା ଆଶଙ୍କା ଥିବାରୁ ଉଦ୍ଧାରକାରୀ ଦଳ ତଲାସି ଜାରି ରଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପାଖ କୋଠାକୁ ମଧ୍ୟ ଖାଲି କରାଯାଇଥିଲା। ଏବେ ତଦନ୍ତର ମୁଖ୍ୟ ଫୋକସ୍ରେ ରହିଛି PG କୋଠାର ସୁରକ୍ଷା, ବେସମେଣ୍ଟରେ କେଉଁ ପ୍ରକାର କାମ ଚାଲିଥିଲା, ଏଥିପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ ଏବଂ ଏତେ ପୁରୁଣା କୋଠାରେ PG ଚଳାଇବା ସମୟରେ ଆବଶ୍ୟକ ସୁରକ୍ଷା ନିୟମ ପାଳନ ହୋଇଥିଲା କି ନାହିଁ।











Leave a Reply