ବେଲୁଚିସ୍ତାନରେ ଦୁଇ ବଡ଼ ଆକ୍ରମଣ, ୨୫ ପାକିସ୍ତାନୀ ସେନା ନିହତ ଦାବି!

ଅକ୍ଷର ବ୍ୟୁରୋ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଦୁଇଟି ବଡ଼ ଆକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ଆକ୍ରମଣର ଦାୟିତ୍ୱ ବେଲୁଚିସ୍ତାନ ଲିବରେସନ୍ ଆର୍ମି (BLA) ନେଇଥିବା ଦାବି କରିଛି। ସଂଗଠନର ଦାବି ଅନୁସାରେ, ଦୁଇଟି ଆକ୍ରମଣରେ ମୋଟ ୨୫ ଜଣ ପାକିସ୍ତାନୀ ସେନା କର୍ମଚାରୀ ନିହତ ହୋଇଛନ୍ତି ଏବଂ ୩ଟି ସାମରିକ ଯାନ ଧ୍ୱଂସ ହୋଇଛି। ପ୍ରଥମ ଆକ୍ରମଣ ଜିଆରତ କ୍ରସ୍ ଅଞ୍ଚଳରେ ହୋଇଥିବା BLA ପକ୍ଷରୁ କୁହାଯାଇଛି। ସଂଗଠନର ମୁଖପାତ୍ରଙ୍କ ଦାବି ଅନୁସାରେ, ଏକ ସାମରିକ କନଭୟକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ଏଥିରେ ଦୁଇଟି ସାମରିକ ଯାନ, ଯାହା ମଧ୍ୟରେ ଗୋଟିଏ ସାମରିକ ଟ୍ରକ୍ ଥିବା କୁହାଯାଇଛି, ଧ୍ୱଂସ ହୋଇଥିବା BLA ଦାବି କରିଛି। ଆକ୍ରମଣ ପରେ ପ୍ରଥମେ ୧୮ ଜଣ ସେନା କର୍ମଚାରୀ ନିହତ ହୋଇଥିବା ଦାବି କରିଥିଲା BLA। ପରେ ଏହି ସଂଖ୍ୟା ବଢ଼ାଇ ୨୫ ଜଣ ବୋଲି ଦାବି କରାଯାଇଛି।

ଏହାରି ମଧ୍ୟରେ BLAର ଅଧିକୃତ ମିଡିଆ ଚ୍ୟାନେଲରେ ୧ ମିନିଟ୍ ୧୧ ସେକେଣ୍ଡର ଏକ ଭିଡିଓ ଟ୍ରେଲର ଜାରି କରାଯାଇଛି। ଏଥିରେ ଜିଆରତ କ୍ରସ୍ ଆକ୍ରମଣର ଦୃଶ୍ୟ ଥିବା ସଂଗଠନ ଦାବି କରିଛି। ଭିଡିଓରେ ଜଳୁଥିବା ସାମରିକ ଯାନ ନିକଟରେ ସଶସ୍ତ୍ର ବ୍ୟକ୍ତି ଦେଖାଯାଉଥିବା ଏବଂ ଘଟଣାସ୍ଥଳରେ ଅସ୍ତ୍ରଶସ୍ତ୍ର ଜବତ କରାଯାଉଥିବା ଦୃଶ୍ୟ ଥିବା କୁହାଯାଇଛି। ଆକ୍ରମଣର ସମ୍ପୂର୍ଣ୍ଣ ଭିଡିଓ ପରେ ପ୍ରକାଶ କରାଯିବ ବୋଲି BLA କହିଛି।

ସେପଟେ ସୁରାବର ହାଜିକା ଅଞ୍ଚଳରେ ମଧ୍ୟ ଆଉ ଏକ ଆକ୍ରମଣ ହୋଇଥିବା BLA ଦାବି କରିଛି। ସଂଗଠନର କହିବା ଅନୁସାରେ, ଏହାର Special Tactical Operations Squad (STOS) ଏକ ବିସ୍ଫୋରକ ଭର୍ତ୍ତି ଯାନକୁ ରିମୋଟ୍ ମାଧ୍ୟମରେ ବିସ୍ଫୋରଣ କରିଥିଲା। ଏଥିରେ ଗୋଟିଏ ସାମରିକ ଯାନ ଧ୍ୱଂସ ହେବା ସହ ୭ ଜଣ ସେନା କର୍ମଚାରୀ ନିହତ ହୋଇଥିବା ଦାବି କରିଛି BLA। ତେବେ ଏହି ଆକ୍ରମଣଗୁଡ଼ିକୁ ନେଇ BLA ପକ୍ଷରୁ କରାଯାଇଥିବା ମୃତାହତ ଓ କ୍ଷୟକ୍ଷତି ସମ୍ପର୍କିତ ଦାବିର ସ୍ୱାଧୀନ ଭାବେ ସତ୍ୟାପନ ହୋଇନାହିଁ। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳୁଥିବା ସୂଚନା ଏହି ଦାବିର ସତ୍ୟତା ନିର୍ଣ୍ଣୟରେ ଗୁରୁତ୍ୱପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial