ଗ୍ରୀସ୍: ଏୟାର ଶୋ’ ଚାଲିଥିବା ବେଳେ ଭୟଙ୍କର ଦୁର୍ଘଟଣା। ହଜାର ହଜାର ଦର୍ଶକଙ୍କ ସାମ୍ନାରେ କ୍ରାଶ୍ ହେଲା ଗ୍ରୀକ୍ ବାୟୁସେନାର ଏକ ଯୁଦ୍ଧ ବିମାନ। ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ୍ଙ୍କ ମୃତ୍ୟୁ ଘଟିଛି। ତେବେ ସୌଭାଗ୍ୟବଶତଃ ଦର୍ଶକ ଗ୍ୟାଲେରୀରେ ଥିବା କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି।
ସୂଚନା ଅନୁସାରେ, ତାନାଗ୍ରା ଏୟାର ବେସ୍ରେ ଏୟାର ଶୋ’ ଚାଲିଥିବା ସମୟରେ ଗ୍ରୀକ୍ ବାୟୁସେନାର F-4 ଫାଣ୍ଟମ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ାଣ ଭରିବାର ମାତ୍ର ପ୍ରାୟ ୩ ମିନିଟ୍ ପରେ ଏୟାର ଶୋ’ରେ ପ୍ରଦର୍ଶନ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦର୍ଶକଙ୍କ ସାମ୍ନାରେ ବିମାନଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଠାରେ ତୁରନ୍ତ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଏୟାର ଶୋ’ ଦେଖିବାକୁ ଆସିଥିବା ଦର୍ଶକମାନେ। ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଘଟଣାସ୍ଥଳରେ ଉଦ୍ଧାର ଓ ଅଗ୍ନି ନିର୍ବାପଣ କାର୍ଯ୍ୟ ପାଇଁ ୮୫ ଜଣ ଅଗ୍ନିଶମ କର୍ମଚାରୀ, ୧୧ଟି ପାଣି ପକାଉଥିବା ବିମାନ ଓ ହେଲିକପ୍ଟର ନିୟୋଜିତ କରାଯାଇଥିଲା।
ଦୁର୍ଘଟଣା ପରେ ଏୟାର ଶୋ’ର ବାକି ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି। ଦୁଇ ପାଇଲଟ୍ଙ୍କ ମୃତ୍ୟୁକୁ ନେଇ ଗ୍ରୀକ୍ ବାୟୁସେନା ପକ୍ଷରୁ ୩ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି। ଏୟାର ଶୋ’ ଭଳି ସାର୍ବଜନୀନ କାର୍ଯ୍ୟକ୍ରମରେ ଏଭଳି ଦୁର୍ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ତେବେ ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ ତଦନ୍ତ ପରେ ଅଧିକ ସ୍ପଷ୍ଟତା ମିଳିବ।
















Leave a Reply