ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଏହା ଆଜି ବାତ୍ୟାର ରୂପ ନେଇପାରେ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ବାପଟ୍ଲାରୁ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ ହେବାର ଆକଳନ କରାଯାଉଥିବାବେଳେ କାକିନାଡା ନିକଟବର୍ତ୍ତୀ ଅଞ୍ଚଳ ଉପରେ ମଧ୍ୟ ନଜର ରହିଛି। ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି
ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଆଗକୁ ବଢ଼ିଛି। ଉପଲବ୍ଧ ସୂଚନା ଅନୁସାରେ, ଗଭୀର ଅବପାତଟି ବିଶାଖାପାଟଣାଠାରୁ ପ୍ରାୟ ୭୩୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, କାକିନାଡାଠାରୁ ୮୨୦ କିଲୋମିଟର, ମାଚ୍ଛିଲୀପଟ୍ଟନମ୍ଠାରୁ ୯୨୦ କିଲୋମିଟର ଏବଂ ବାପଟ୍ଲାଠାରୁ ପ୍ରାୟ ୯୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ରହିଛି।
୨୮ ତାରିଖରେ ଅତି ପ୍ରବଳ ବାତ୍ୟା ଆଶଙ୍କା
ପାଣିପାଗ ଆକଳନ ଅନୁସାରେ, ଗଭୀର ଅବପାତଟି ଆଜି ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ଏହା ଅତି ପ୍ରବଳ ବାତ୍ୟା ରୂପେ ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳ ଅତିକ୍ରମ କରିପାରେ। ବାପଟ୍ଲାରୁ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା ଥିବାବେଳେ କାକିନାଡା ଓ ମାଚ୍ଛିଲୀପଟ୍ଟନମ୍ ନିକଟବର୍ତ୍ତୀ ଅଞ୍ଚଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି।
ଲ୍ୟାଣ୍ଡଫଲ୍ ବେଳେ ୧୨୫ କିମି ବେଗରେ ପବନ!
ସମ୍ଭାବ୍ୟ ବାତ୍ୟାର ପ୍ରଭାବ ନେଇ ଆଶଙ୍କା ବଢ଼ୁଥିବାବେଳେ ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଏହାର ଝଟକା ପବନ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଇଛି। ଏପରି ପବନ ସହ ପ୍ରବଳ ବର୍ଷା ହେଲେ ଉପକୂଳ ଅଞ୍ଚଳରେ ଗଛ ଉପୁଡ଼ିବା, ବିଦ୍ୟୁତ୍ ଓ ଯୋଗାଯୋଗ ସେବା ପ୍ରଭାବିତ ହେବା, ରାସ୍ତାଘାଟ ଅବରୋଧ ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ଆନ୍ଧ୍ରର ୫ ଉପକୂଳ ଜିଲ୍ଲା ଉପରେ ନଜର
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। କାକିନାଡା, କୋନାସୀମା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଓ କୃଷ୍ଣା ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ପବନ ଏବଂ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି, ଆବଶ୍ୟକ ସାମଗ୍ରୀ ମହଜୁଦ, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସୁରକ୍ଷା ଏବଂ ଜରୁରୀକାଳୀନ ସେବା ସ୍ୱାଭାବିକ ରଖିବା ପାଇଁ ପ୍ରସ୍ତୁତି ଚାଲିଛି।
କାକିନାଡା ନିକଟରେ ଲ୍ୟାଣ୍ଡଫଲ୍? ଏଯାଏଁ ସ୍ପଷ୍ଟ ନୁହେଁ
ବାତ୍ୟା ‘ଅର୍ଣ୍ଣବ’ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଥିଲେ ମଧ୍ୟ ଏହାକୁ ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ୍ ସ୍ଥାନ ଭାବେ ଚୂଡ଼ାନ୍ତ କରାଯାଇନାହିଁ। ବାପଟ୍ଲାରୁ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଏକ ବିସ୍ତୃତ ଅଞ୍ଚଳ ହୋଇଥିବାରୁ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନିରନ୍ତର ନଜର ରଖାଯାଉଛି।
ୟୁରୋପୀୟ ପାଣିପାଗ ମଡେଲ୍ ECMWFର ପୂର୍ବ ଆକଳନରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସଙ୍କେତ ମିଳିଥିଲା। ସେହିପରି Windyରେ ପ୍ରଦର୍ଶିତ ପୂର୍ବ ମଡେଲ୍ ଆକଳନରେ କାକିନାଡାରୁ ମାଚ୍ଛିଲୀପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳରେ ବାତ୍ୟାର କେନ୍ଦ୍ର ପହଞ୍ଚିବାର ସମ୍ଭାବନା ଦେଖାଯାଇଥିଲା। ଆମେରିକୀୟ GFS ମଡେଲ୍ର ପୂର୍ବ ଆକଳନରେ ମଧ୍ୟ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ବାତ୍ୟାର ଗତିପଥ ରହିଥିଲା। ତେବେ ବିଭିନ୍ନ ପାଣିପାଗ ମଡେଲ୍ର ଆକଳନରେ ପରିବର୍ତ୍ତନ ହୋଇପାରେ। ଆଜି ଓ ଆସନ୍ତାକାଲି ବାତ୍ୟାର ଗତିପଥ, ତୀବ୍ରତା ଏବଂ ସ୍ଥଳଭାଗ ଅତିକ୍ରମ କରିବାର ସ୍ଥାନ ନିର୍ଦ୍ଧାରଣ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ବାତ୍ୟା ଉପକୂଳର ନିକଟତର ହେବା ସହ ଲ୍ୟାଣ୍ଡଫଲ୍ ସ୍ଥାନ ଓ ସମୟ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ।












Leave a Reply