ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଦିଆଯାଇଥିବା ପାଣିପାଗ ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୩୦ ମିନିଟ୍ରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଏହା ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟା ଏବଂ ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି। ଆସନ୍ତା ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ବାତ୍ୟାର ସିଧାସଳଖ ଲ୍ୟାଣ୍ଡଫଲ୍ ଆଶଙ୍କା ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ।
୨୮ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ଘଣ୍ଟାପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି। ସଦ୍ୟତମ ଆକଳନ ଅନୁସାରେ, ଆସନ୍ତା ୨୮ ତାରିଖରେ ବାପଟଲାରୁ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ୍ ସ୍ଥାନ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିବାର ଆକଳନ କରାଯାଉଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଏହି ସମୟରେ ପବନର ଝଟକା ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହେଲେ ଓଡ଼ିଶା ଉପରେ ପ୍ରଭାବ ସମ୍ପର୍କିତ ଆକଳନ ମଧ୍ୟ ବଦଳିପାରେ।
ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଟକା ପବନ ବହିବାର ଆଶଙ୍କା ରହିଛି। ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଅକ୍ଟୋବର ୨୮ରେ ବର୍ଷାର ତୀବ୍ରତା ଅଧିକ ରହିବା ସହ ୨୯ ତାରିଖରେ ମଧ୍ୟ ପୁଣି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଗୋପାଳପୁର ଓ ବ୍ରହ୍ମପୁର ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଟକା ପବନ ବହିବା ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ସହ ନଦୀନାଳର ଜଳସ୍ତର ବୃଦ୍ଧି ପାଇପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାବେଳେ ବିଦ୍ୟୁତ୍ ସରବରାହ ଓ ଯାତାୟାତ ମଧ୍ୟ ପ୍ରଭାବିତ ହୋଇପାରେ।
ଭୁବନେଶ୍ୱର ଓ କଟକରେ ମଧ୍ୟ ପ୍ରଭାବ ଆଶଙ୍କା
ଦକ୍ଷିଣ ଓଡ଼ିଶା ତୁଳନାରେ ଭୁବନେଶ୍ୱର ଓ କଟକରେ ବାତ୍ୟାର ସିଧାସଳଖ ପ୍ରଭାବ କମ୍ ରହିବାର ସମ୍ଭାବନା ଥିଲେ ମଧ୍ୟ ଏହି ଦୁଇ ସହରରେ ବର୍ଷାକୁ ନେଇ ଆଶଙ୍କା ରହିଛି। ବିଶେଷକରି ଅକ୍ଟୋବର ୨୮ ଓ ୨୯ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ସହ କେତେକ ସମୟରେ ତୀବ୍ର ବର୍ଷା ହୋଇପାରେ। ଏହାର ପ୍ରଭାବରେ ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ମୁକାବିଲା ପାଇଁ ୬୦ ଓଡ୍ରାଫ୍, ୧୭ ଏନ୍ଡିଆର୍ଏଫ୍ ଟିମ୍ ପ୍ରସ୍ତୁତ
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମୁକାବିଲା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରାୟ ୬୦ଟି ଓଡ୍ରାଫ୍ ଟିମ୍, ୧୭ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୨୨୫ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ କରାଯାଇଥିବା ସୂଚନା ଦିଆଯାଇଛି। ସମ୍ଭାବ୍ୟ ପ୍ରଭାବିତ ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ତାରିଖରେ ସ୍କୁଲ୍, କଲେଜ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଉଥିବାବେଳେ ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିସହ ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
ସତର୍କ ରହିବାକୁ ଦକ୍ଷିଣ ଓଡ଼ିଶାବାସୀଙ୍କୁ ପରାମର୍ଶ
ବାତ୍ୟାର ସିଧାସଳଖ ଲ୍ୟାଣ୍ଡଫଲ୍ ଓଡ଼ିଶାରେ ନ ହେଲେ ମଧ୍ୟ ଏହାର ବାହ୍ୟ ବର୍ଷାବଳୟ ଓ ପବନର ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ। ବିଶେଷକରି ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ନୂଆ ପାଣିପାଗ ବୁଲେଟିନ୍ ଅନୁଯାୟୀ ବାତ୍ୟାର ଗତିପଥ, ତୀବ୍ରତା ଓ ଜିଲ୍ଲାଭିତ୍ତିକ ସତର୍କତା ଉପରେ ନଜର ରଖିବା ଜରୁରୀ।











Leave a Reply