ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। ଏହି ଅବସରରେ ପୁରୀର ତିନୋଟି ହବିଷ୍ୟାଳି କେନ୍ଦ୍ରରେ ରହୁଥିବା ବ୍ରତଧାରୀମାନେ ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ବ୍ରତ ପାଳନ ପାଇଁ ସଂକଳ୍ପ ନେଇଛନ୍ତି। ଏକ ମାସ ଧରି ହବିଷ୍ୟାଳିମାନେ ନିଷ୍ଠାର ସହ ବ୍ରତ ପାଳନ କରିବେ। ଚଳିତ ବର୍ଷ ପୁରୀର ତିନୋଟି ହବିଷ୍ୟାଳି କେନ୍ଦ୍ରରେ ପ୍ରାୟ ୨୫୦୦ ହବିଷ୍ୟାଳି ରହିଛନ୍ତି।
ହବିଷ୍ୟାଳିଙ୍କ ପାଇଁ ପ୍ରଶାସନର ବ୍ୟବସ୍ଥା
ମହାକାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀକୁ ଆସିଥିବା ହବିଷ୍ୟାଳିଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସମସ୍ତ ବ୍ରତଧାରୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ମହାପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଏଥିସହ ହବିଷ୍ୟାଳି କେନ୍ଦ୍ରଗୁଡ଼ିକରେ ବ୍ରତଧାରୀଙ୍କ ରହଣି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ସାମିଲ ହୋଇ ବ୍ରତ ପାଳନ କରିବାର ସୁଯୋଗ ପାଇଥିବାରୁ ହବିଷ୍ୟାଳିମାନେ ଖୁସିବ୍ୟକ୍ତ କରିଛନ୍ତି। ପ୍ରଶାସନର ବ୍ୟବସ୍ଥା ଯୋଗୁଁ ଶ୍ରୀକ୍ଷେତ୍ରରେ ରହି ମହାପ୍ରଭୁଙ୍କ ଦର୍ଶନ ସହ ଧାର୍ମିକ ରୀତିନୀତି ପାଳନ କରିପାରୁଛନ୍ତି ବ୍ରତଧାରୀ।
ଚଉରା ମୂଳେ ରାଇଦାମୋଦର ପୂଜା
କାର୍ତ୍ତିକ ମାସର ଧାର୍ମିକ ପରମ୍ପରା ଅନୁଯାୟୀ ହବିଷ୍ୟାଳିମାନେ ତୁଳସୀ ଚଉରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି। ମାସେ ଧରି ହବିଷ୍ୟାଳି କେନ୍ଦ୍ରଗୁଡ଼ିକରେ ଭଜନ, କୀର୍ତ୍ତନ ଓ ପୂଜାପାଠ ଚାଲିବ। ପ୍ରତିଦିନ ମହାପ୍ରସାଦ ସେବନ ସହ ଧାର୍ମିକ ପରିବେଶରେ ସମୟ ବିତାଇବେ ବ୍ରତଧାରୀମାନେ। ମହାକାର୍ତ୍ତିକ ବ୍ରତ ପାଇଁ ଶ୍ରୀକ୍ଷେତ୍ରର ହବିଷ୍ୟାଳି କେନ୍ଦ୍ରଗୁଡ଼ିକ ଏବେ ଚଳଚଞ୍ଚଳ ହୋଇଉଠିଛି। ଆଗାମୀ ଏକ ମାସ ଧରି ଏଠାରେ ଭକ୍ତି, ଆଧ୍ୟାତ୍ମିକତା ଓ ହରିନାମର ପରିବେଶ ଲାଗି ରହିବ।












Leave a Reply