ବାତ୍ୟା ‘ଅର୍ଣ୍ଣବ’କୁ ନେଇ କେନ୍ଦ୍ରର ସମୀକ୍ଷା, ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଉପରେ ନଜର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବ ଓ ମୁକାବିଲା ପ୍ରସ୍ତୁତିକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଓ ତେଲେଙ୍ଗାନାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବୈଠକ ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି।

୫ ଜିଲ୍ଲାରେ ଅଧିକ ବର୍ଷା ଓ ପବନ ଆଶଙ୍କା

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ। ଏହି ଜିଲ୍ଲାଗୁଡ଼ିକରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ କେନ୍ଦ୍ରୀୟ ସମୀକ୍ଷା ବୈଠକରେ ଅବଗତ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ଓ ଜରୁରୀକାଳୀନ ସେବା ଯୋଗାଣକୁ ପ୍ରାଥମିକତା ଦିଆଯାଉଛି।

୩ ହଜାର ଗର୍ଭବତୀ ମହିଳା ଚିହ୍ନଟ

ବାତ୍ୟା ଓ ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖି ଦକ୍ଷିଣ ଓଡ଼ିଶାର ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ପ୍ରାୟ ୩ ହଜାର ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ରହିଛି। ଏଥିସହ ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଫେରିଆସିଛନ୍ତି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ଛତିଶଗଡ଼ ସହ ଯୋଗାଯୋଗରେ ଓଡ଼ିଶା

ବାତ୍ୟା ପ୍ରଭାବରେ ଛତିଶଗଡ଼ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଛତିଶଗଡ଼ ସରକାରଙ୍କ ସହ ଓଡ଼ିଶା ସରକାର ନିରନ୍ତର ଯୋଗାଯୋଗରେ ରହିଛି। ସେଠାରୁ ନଦୀକୁ ଜଳ ଛଡ଼ାଯିବାର ସ୍ଥିତି ଅନୁଯାୟୀ ଓଡ଼ିଶା ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଆବଶ୍ୟକ ହେଲେ ଅଧିକ NDRF ଟିମ୍‌ ଦେବ କେନ୍ଦ୍ର

ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାର ଅଧିକ NDRF ଟିମ୍‌ ଯୋଗାଇଦେବେ ବୋଲି ବୈଠକରେ ଆଶ୍ୱାସନ ମିଳିଥିବା ସୂଚନା ରହିଛି। ରାଜ୍ୟ ସରକାର ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପ୍ରସ୍ତୁତି ଜାରି ରଖିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ର ଗତିପଥ, ତୀବ୍ରତା ଓ ବର୍ଷାର ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial