ବାରିପଦାରୁ ନିଖୋଜ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଅଭିଯୁକ୍ତ ଅଟକ

ବାରିପଦାରୁ ନିଖୋଜ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଅଭିଯୁକ୍ତ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଭଞ୍ଜପୁର ଥାନା ଅନ୍ତର୍ଗତ ଜମୁନାଦେଈପୁର ଅଞ୍ଚଳରୁ ନିଖୋଜ ହୋଇଥିବା ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଭଞ୍ଜପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ଶିଶୁକନ୍ୟା ଜଣକ ସୁନୀଲ କୁମାର ସୋରେନ ଓ ଚାନ୍ଦମଣି ମୁର୍ମୁଙ୍କ ଝିଅ। ଖୁଣ୍ଟା ବ୍ଲକ୍‌ର ଲାକ୍ଷଣସାହି ଗ୍ରାମର ମୂଳ ବାସିନ୍ଦା ସୁନୀଲଙ୍କ ପରିବାର ବର୍ତ୍ତମାନ ବାରିପଦାର ଜମୁନାଦେଈପୁର ଅଞ୍ଚଳରେ ରହୁଛନ୍ତି। ଗତକାଲି ଶିଶୁକନ୍ୟା ଜଣକ ଘର ନିକଟରେ ଖେଳୁଥିବା ବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲେ।

ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁକନ୍ୟାଙ୍କ କୌଣସି ସନ୍ଧାନ ପାଇନଥିଲେ। ଶେଷରେ ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ପରିବାର ପକ୍ଷରୁ ଭଞ୍ଜପୁର ଥାନାରେ ଅଭିଯୋଗ କରାଯାଇଥିଲା।

ଆଜି ସକାଳେ ଜଣେ ବ୍ୟକ୍ତି ଶିଶୁକନ୍ୟାଙ୍କୁ ଘର ନିକଟରେ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ନିଖୋଜ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯିବା ପରେ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଶିଶୁକନ୍ୟାଙ୍କୁ କେଉଁ କାରଣରୁ ନିଆଯାଇଥିଲା, ରାତିସାରା ତାଙ୍କୁ କେଉଁଠି ରଖାଯାଇଥିଲା ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି। ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିବା ସୂଚନା ମିଳିଛି। ତେବେ ଘଟଣାର ସମସ୍ତ ଦିଗ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial