ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ଓଡ଼ିଶା ଉପକୂଳରେ ହେବାର ସମ୍ଭାବନା ନଥିଲେ ମଧ୍ୟ ଏହାର ପ୍ରଭାବରୁ ରାଜ୍ୟକୁ ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍। ବାତ୍ୟାର କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆକଳନ ରହିଛି। ତେବେ ଏହାର ବାହ୍ୟ ବର୍ଷାବଳୟ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇପାରେ। ଫଳରେ ଅକ୍ଟୋବର ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବା ସହ ୨୮ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗର ସମ୍ଭାବ୍ୟ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ନଜର ରଖାଯାଇଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବର୍ଷାଜନିତ ବିପଦ ଆଶଙ୍କା କରାଯାଉଛି। ୨୮ ତାରିଖରେ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବା ସମୟରେ ଓଡ଼ିଶାରେ ବର୍ଷାର ତୀବ୍ରତା ଅଧିକ ହୋଇପାରେ।
ଲଗାଣ ବର୍ଷା ହେଲେ ବଢ଼ିପାରେ ନଦୀଜଳସ୍ତର
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହେଲେ ନଦୀନାଳର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିପାରେ। କେତେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବିଶେଷକରି ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭୟ ରହିଛି। ଲଗାଣ ବର୍ଷା ଯୋଗୁଁ ଧାନ ଓ ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ବର୍ଷାର ପରିମାଣ ଓ ଏହାର ପ୍ରଭାବକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି।
୮ ଜିଲ୍ଲାରେ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ପାଇଁ ସରକାର ୮ଟି ଜିଲ୍ଲାରେ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସମ୍ପୃକ୍ତ ମନ୍ତ୍ରୀମାନେ ତିନି ଦିନ ଧରି ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ଉପସ୍ଥିତ ରହିବେ। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ବାତ୍ୟା ମୁକାବିଲା ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ, ରିଲିଫ୍ ବ୍ୟବସ୍ଥା, ଆଶ୍ରୟସ୍ଥଳୀ, ଖାଦ୍ୟ, ପାନୀୟ ଜଳ ଓ ଜରୁରୀକାଳୀନ ସେବାର ତଦାରଖ କରିବେ। ପାହାଡ଼ିଆ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା, ରାସ୍ତାଘାଟର ସ୍ଥିତି ଏବଂ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେବ। ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ପ୍ରସ୍ତୁତି ରଖାଯିବ।
୨୭ରୁ ୨୯ ଯାଏଁ ପାଣିପାଗ ଉପରେ ନଜର
ବାତ୍ୟାର କେନ୍ଦ୍ର ଓଡ଼ିଶା ଉପକୂଳ ଅତିକ୍ରମ ନକଲେ ମଧ୍ୟ ଏହାର ବାହ୍ୟ ବର୍ଷାବଳୟ ଯୋଗୁଁ ରାଜ୍ୟରେ ବର୍ଷାଜନିତ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ବାତ୍ୟାର ଲ୍ୟାଣ୍ଡଫଲ୍ ସ୍ଥାନଠାରୁ ଦୂରରେ ଥିବା ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇପାରେ। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ପ୍ରଶାସନ ପକ୍ଷରୁ ଜାରି ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ। ବର୍ଷାର ସଠିକ୍ ପରିମାଣ ଓ ଜିଲ୍ଲାଭିତ୍ତିକ ସତର୍କତା ସମ୍ପର୍କରେ ନୂଆ ପାଣିପାଗ ବୁଲେଟିନ୍ ଅନୁସାରେ ଅଦ୍ୟତନ ସୂଚନା ନେବା ଆବଶ୍ୟକ।












Leave a Reply