ଢେଙ୍କାନାଳରେ ଆରମ୍ଭ ମା’ ଗଜଲକ୍ଷ୍ମୀଙ୍କ ଗଣପର୍ବ, ୧୦ ଦିନ ଧରି ଚାଲିବ ମହୋତ୍ସବ

ଢେଙ୍କାନାଳ: ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଢେଙ୍କାନାଳରେ ଆରମ୍ଭ ହୋଇଛି ଅନ୍ନଦାତ୍ରୀ ତଥା ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପ୍ରସିଦ୍ଧ ଗଣପର୍ବ। ରବିବାର ସନ୍ଧ୍ୟାରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆବାହନୀ ପୂଜା, ଯଜ୍ଞ ଓ ମନ୍ତ୍ରପାଠ ସହ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଘଣ୍ଟ, ଖୋଳ, ଝାଞ୍ଜ, ଯୋଡ଼ି ନାଗରା ଓ ଶଙ୍ଖଧ୍ୱନି ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସାରା ସହର। ମା’ଙ୍କ ଆଗମନରେ ଢେଙ୍କାନାଳରେ ସୃଷ୍ଟି ହୋଇଛି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ।

ଚଳିତ ବର୍ଷ ରବିବାର ରାତି ୮ଟା ପରେ ମାହେନ୍ଦ୍ର ବେଳାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ଆବାହନ କରାଯାଇଥିଲା। ଝୁଣା, ଧୂପ, ଦୀପ ଓ ଯଜ୍ଞର ଘୃତରେ ମହକି ଉଠିଛି ପୂଜାମଣ୍ଡପ ଓ ଆଖପାଖ ଅଞ୍ଚଳ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାରେ ସାମିଲ ହେଉଛନ୍ତି। ବିଭିନ୍ନ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ପ୍ରତିମାକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି। ସ୍ୱର୍ଣ୍ଣ ମୁକୁଟ, ରୌପ୍ୟ ମେଢ଼, ରତ୍ନ ଅଳଙ୍କାର ଓ ବିଭିନ୍ନ ପ୍ରକାରର ପୁଷ୍ପରେ ସଜ୍ଜିତ ମା’ ପଦ୍ମାଳୟାଙ୍କ ଜୀବନ୍ତପ୍ରାୟ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ମା’ଙ୍କ ଦର୍ଶନ ପାଇଁ ପ୍ରଥମ ଦିନରୁ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି।

ମା’ଙ୍କ ଗଣପର୍ବକୁ ନେଇ ସମଗ୍ର ଢେଙ୍କାନାଳ ସହର ଉତ୍ସବମୁଖର ହୋଇପଡ଼ିଛି। ବିଭିନ୍ନ ଛକ ଓ ପୂଜାମଣ୍ଡପରେ ନିର୍ମିତ ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକମାଳା ଏବଂ ସୁନ୍ଦର ସାଜସଜ୍ଜା ସହରର ସୌନ୍ଦର୍ଯ୍ୟକୁ ବଢ଼ାଇଛି। ଐତିହ୍ୟ, ସଂସ୍କୃତି, ପୌରାଣିକ କାହାଣୀ ଓ ସାମ୍ପ୍ରତିକ ବିଷୟବସ୍ତୁକୁ ଆଧାର କରି ଅଧିକାଂଶ ପୂଜାମଣ୍ଡପ ସଜାଯାଇଛି। ଏହି ସାଜସଜ୍ଜା ଦେଖିବା ସହ ମା’ଙ୍କ ଦର୍ଶନ ପାଇଁ ଲୋକଙ୍କ ଆଗମନ ଆରମ୍ଭ ହୋଇଛି। ରବିବାରଠାରୁ ଆରମ୍ଭ ହୋଇଥିବା ମା’ ଗଜଲକ୍ଷ୍ମୀଙ୍କ ଏହି ଗଣପର୍ବ ଆସନ୍ତା ୧୦ ଦିନ ଧରି ପାଳନ କରାଯିବ। ପ୍ରଥମ ଦିନରୁ ହିଁ ସହରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଜାତି, ଧର୍ମ ଓ ବର୍ଣ୍ଣର ଊର୍ଦ୍ଧ୍ୱରେ ରହି ଲୋକେ ଏହି ପର୍ବକୁ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବର ସହ ପାଳନ କରୁଛନ୍ତି। ଭକ୍ତି, ପରମ୍ପରା ଓ ସାମୂହିକ ଉତ୍ସବର ମିଳନରେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ପୁଣିଥରେ ସହରବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial