ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ଓ ବନ୍ୟା ମୁକାବିଲାରେ ରାଜ୍ୟର ପୂର୍ବ ଅଭିଜ୍ଞତା ରହିଛି। ଏଥର ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ‘ଜିରୋ କାଜୁଆଲ୍ଟି’ ହାସଲ କରିବାକୁ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା
ପାଣିପାଗ ବିଭାଗର ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି।
୫ ଜିଲ୍ଲାରେ ୨୮ ଓ ୨୯ରେ ସ୍କୁଲ୍-କଲେଜ ବନ୍ଦ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି। ଏହି ୫ଟି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ତାରିଖରେ ସ୍କୁଲ୍, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଣିପାଗ ଓ ସ୍ଥାନୀୟ ପରିସ୍ଥିତିକୁ ଦେଖି ଛୁଟି ଘୋଷଣା ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ମୁତୟନ ହେବେ ୬୦ ଓଡ୍ରାଫ୍, ୧୭ NDRF ଓ ୨୨୫ ଅଗ୍ନିଶମ ଦଳ
ବାତ୍ୟାର ମୁକାବିଲା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପ୍ରାୟ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୭ଟି NDRF ଟିମ୍ ନିୟୋଜିତ କରାଯାଇଛି। ଏହା ସହିତ ୨୨୫ଟି ଅଗ୍ନିଶମ ଦଳକୁ ସଜାଗ ରଖାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଆଗୁଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ଓ ଚିକିତ୍ସା କିଟ୍ ମହଜୁଦ
ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହୋଇପାରୁଥିବା ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ପ୍ରତିରୋଧୀ ଇଞ୍ଜେକ୍ସନ୍, ଔଷଧ ଓ ଚିକିତ୍ସା କିଟ୍ ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି। ବାତ୍ୟା ପରେ ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ସୃଷ୍ଟି ହୋଇପାରୁଥିବା କ୍ଷୟକ୍ଷତିର ତୁରନ୍ତ ମରାମତି ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗକୁ ପ୍ରସ୍ତୁତ ରଖାଯାଇଛି। ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହେଲେ, ସେଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
ଫସଲ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ
ଅମଳ ସମୟ ପାଖେଇ ଆସୁଥିବାରୁ ଚାଷୀମାନଙ୍କୁ ଆଗୁଆ ସତର୍କ କରିବା ସହ ଫସଲ କାଟି ସୁରକ୍ଷିତ ଭାବେ ରଖିବା ପାଇଁ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବାତ୍ୟା ମୁକାବିଲାରେ ସମସ୍ତ ସମ୍ପୃକ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ‘ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍’ରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ବାତ୍ୟା ‘ଦାନା’ ଓ ‘ମୋନ୍ଥା’ ସହ ଅନେକ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରାଯାଇଛି। ସେହି ଅଭିଜ୍ଞତାକୁ ଆଧାର କରି ଏଥର ମଧ୍ୟ ଜନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅଗ୍ନିଶମ ସେବା ଡିଜି, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଏସ୍ଆର୍ସିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।













Leave a Reply