ଉଦଳା: ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ। ନଦୀ ପଠାରେ ପଡ଼ିଥିଲା ଚପଲ ଓ ଗଞ୍ଜି, କିନ୍ତୁ ମିଳୁନଥିଲା ତାଙ୍କର କୌଣସି ପତ୍ତା। ରାତିରେ ଅଗ୍ନିଶମ ବିଭାଗ ଖୋଜାଖୋଜି କରି ନିରାଶ ହୋଇ ଫେରିଥିବା ବେଳେ ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଶେଷରେ ପ୍ରାୟ ୨୦ ଘଣ୍ଟା ପରେ ନଦୀର ଗଣ୍ଡ ଭିତରୁ ମିଳିଲା ବୃଦ୍ଧଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କଇଁସାରି ଦେଓ ନଦୀର ଜାମୁଘାଟ ପୋଲ ନିକଟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ବୃଦ୍ଧ ହେଉଛନ୍ତି କଇଁସାରି ଗ୍ରାମର ମାୟାଧର ନାୟକ। ସୂଚନା ଅନୁଯାୟୀ, ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ସେ ଦେଓ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ। ଏହି ସମୟରେ ନଦୀ ପଠାରେ ତାଙ୍କର ଚପଲ ଓ ଗଞ୍ଜି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିରୁ ସେ ନଦୀରେ ବୁଡ଼ି ନିଖୋଜ ହୋଇଥାଇପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ।
ଖବର ପାଇ ରାତିରେ ଖୁଣ୍ଟା ଅଗ୍ନିଶମ ବିଭାଗର ଟିମ୍ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ରାତିରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ ଚାଲିଥିଲେ ମଧ୍ୟ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିନଥିଲା। ଏହାପରେ ଆଜି ସକାଳୁ ଉଦଳା ଅଗ୍ନିଶମ ବିଭାଗ ପକ୍ଷରୁ ପୁଣିଥରେ ନଦୀରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଦୀର୍ଘ ସମୟର ଅପରେସନ ପରେ ନଦୀର ଏକ ଗଣ୍ଡ ଭିତରେ ପ୍ରାୟ ୧୭ ଫୁଟ ଗଭୀରରେ ଏକ ପଥରରେ ଲାଗି ରହିଥିବା ଅବସ୍ଥାରେ ମାୟାଧରଙ୍କ ମୃତଦେହ ଠାବ କରାଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରି ଉଦଳା ମେଡିକାଲକୁ ନେଇଥିଲେ। ନଦୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧଙ୍କ ଏଭଳି ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।













Leave a Reply