ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ଅବପାତ ଯୋଗୁଁ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଚାଷୀଙ୍କ ଫସଲ ସୁରକ୍ଷାକୁ ନେଇ ତତ୍ପର ହୋଇଛି ରାଜ୍ୟ କୃଷି ବିଭାଗ। ଅମଳ ସମୟ ପାଖେଇ ଆସିଥିବାରୁ ଫସଲର ସୁରକ୍ଷା, ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ଏବଂ ଚାଷୀଙ୍କୁ ତ୍ୱରିତ ପରାମର୍ଶ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଅକ୍ଟୋବର ୨୫ରୁ ନଭେମ୍ବର ୭ ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଚାଷୀଙ୍କ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୫୫୩୩୩ କାର୍ଯ୍ୟକ୍ଷମ କରାଯାଉଛି।
ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ସମୀକ୍ଷା ବୈଠକ
ଶନିବାର କୃଷି ଭବନସ୍ଥିତ କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବାତ୍ୟା ଓ ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତର ପରିଚାଳନା, ଫସଲ ସୁରକ୍ଷା ଏବଂ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ନେଇ ବୈଠକରେ ଆଲୋଚନା ହୋଇଛି।
ଉପମୁଖ୍ୟମନ୍ତ୍ରୀ ସମସ୍ତ କୃଷି ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ସମୟରେ ଚାଷୀଙ୍କ ପାଖରେ ଠିଆ ହେବାକୁ ପରାମର୍ଶ ଦେଇଛନ୍ତି। ଚାଷୀମାନେ ଭୟଭୀତ ନହୋଇ ନିକଟସ୍ଥ କୃଷି ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବା ସହ ନିଜ ଫସଲର ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ଚାଷୀଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ୧୫୫୩୩୩
ବାତ୍ୟା ପୂର୍ବରୁ ଓ ପରେ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଏବଂ ଫସଲ ସମ୍ବନ୍ଧୀୟ ପରାମର୍ଶ ଯୋଗାଇଦେବା ପାଇଁ କୃଷି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ୧୫୫୩୩୩ ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୨୫ରୁ ଏହି ନମ୍ବର କାର୍ଯ୍ୟକ୍ଷମ ହେବ। ଚାଷୀମାନେ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ମଧ୍ୟରେ ଫୋନ୍ କରି ପାଣିପାଗ, ଫସଲର ସୁରକ୍ଷା ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୂଚନା ଓ ପରାମର୍ଶ ପାଇପାରିବେ। ବାତ୍ୟା ଓ ଅବପାତ ପରବର୍ତ୍ତୀ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ଏବଂ ଆବଶ୍ୟକ ସହାୟତା ପାଇଁ କୃଷି ଅଧିକାରୀମାନେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।
ନଭେମ୍ବର ୭ ଯାଏଁ ଅଧିକାରୀଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ କୃଷି ବିଭାଗ ନିରନ୍ତର ନଜର ରଖିଛି। ସମସ୍ତ କୃଷି ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯିବା ସହ ଅକ୍ଟୋବର ୨୫ରୁ ନଭେମ୍ବର ୭ ପର୍ଯ୍ୟନ୍ତ ସେମାନଙ୍କ ଛୁଟି ବାତିଲ କରାଯାଇଛି। କୃଷି ସଚିବ ସମସ୍ତ ଅଧିକାରୀଙ୍କୁ ପରିସ୍ଥିତି ପ୍ରତି ସତର୍କ ରହିବା, କୃଷି ପରାମର୍ଶର ବ୍ୟାପକ ପ୍ରଚାରପ୍ରସାର କରିବା ଏବଂ ବିଭାଗ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ କେବଳ କାର୍ଯ୍ୟାଳୟରେ ସୀମିତ ନରହି ଚାଷୀଙ୍କ ପାଖକୁ ଯାଇ ସେମାନଙ୍କୁ ପରାମର୍ଶ ଓ ସହାୟତା ଯୋଗାଇଦେବାକୁ କୁହାଯାଇଛି।
ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା
ବୈଠକରେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନର ପାଣିପାଗ ଆକଳନ ଅନୁଯାୟୀ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ମଧ୍ୟରେ ରହିବାର ସମ୍ଭାବନା ଥିବା ସେ ସୂଚନା ଦେଇଥିଲେ।
ଧାନ ଓ ଅଣଧାନ ଫସଲର ସୁରକ୍ଷା ଉପରେ ଗୁରୁତ୍ୱ
ପ୍ରବଳ ବର୍ଷା ଓ ପବନର ପ୍ରତିକୂଳ ପ୍ରଭାବରୁ ଧାନ ଏବଂ ଅଣଧାନ ଫସଲକୁ କିପରି ସୁରକ୍ଷିତ ରଖାଯାଇପାରିବ, ସେନେଇ ଓୟୁଏଟିର କୁଳପତି ଡ. ପ୍ରଭାତ କୁମାର ରାଉଳ ବୈଠକରେ ବିସ୍ତୃତ କୃଷି ପରାମର୍ଶ ଦେଇଥିଲେ। ଅମଳ ସମୟ ହୋଇଥିବାରୁ ଚାଷୀମାନେ ପାଣିପାଗ ସୂଚନା ଅନୁସରଣ କରି ଫସଲ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ଚାଷୀମାନେ ନିଜେ ସୁରକ୍ଷିତ ରହିବା ସହ ଫସଲ ଓ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ବିଭାଗ ପରାମର୍ଶ ଦେଇଛି। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଫସଲ ସୁରକ୍ଷା ଓ କ୍ଷୟକ୍ଷତି ପରିଚାଳନା ପାଇଁ ରାଜ୍ୟ ସରକାର ଚାଷୀଙ୍କ ସହ ରହିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ବୈଠକରେ ଯୋଗଦେଲେ ବରିଷ୍ଠ ଅଧିକାରୀ
ଏହି ବୈଠକରେ କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧଭ, ଓୟୁଏଟି କୁଳପତି ଡ. ପ୍ରଭାତ କୁମାର ରାଉଳ, ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାର କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ଓ ମୃତ୍ତିକା ସଂରକ୍ଷଣ ଅଧିକାରୀ ଆଭାସି ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।













Leave a Reply