ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ରଚିଲା ଷଡ଼ଯନ୍ତ୍ର, ପ୍ରେମିକ ସହ ଗିରଫ

ଅନୁଗୋଳ: ପରକୀୟା ପ୍ରୀତିରୁ ଭୟଙ୍କର ହତ୍ୟାକାଣ୍ଡ! ନିଜ ପ୍ରେମ ସମ୍ପର୍କରେ ବାଧା ସାଜୁଥିବା ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ପ୍ରେମିକ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର। ପ୍ରଥମେ ଖାଦ୍ୟରେ ବିଷ ମିଶାଇବା ଏବଂ ପରେ ହତ୍ୟା କରିଥିବା ଅଭିଯୋଗ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ହତ୍ୟା ପରେ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ଉଭୟ ଅପେରା ଦେଖିବାକୁ ଯାଇଥିବା ବେଳେ ପରେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣର ନାଟକ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ କଣଲୋଇ ଗାଁରେ ଘଟିଛି। ମୃତକ ହେଉଛନ୍ତି ଦିଲ୍ଲୀପ ସେଠୀ। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଦିଲ୍ଲୀପଙ୍କ ସ୍ତ୍ରୀ ସୌଦାମିନୀ ଏବଂ ତାଙ୍କ ପ୍ରେମିକ ଖଗେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଦିଲ୍ଲୀପ ସେଠୀଙ୍କ ସ୍ତ୍ରୀ ସୌଦାମିନୀଙ୍କ ସହ ନୂଆଗାଁ ବଡ଼ସାହିର ଖଗେଶ୍ୱରଙ୍କର ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କକୁ ଦିଲ୍ଲୀପ ବିରୋଧ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଶେଷରେ ଦିଲ୍ଲୀପଙ୍କୁ ରାସ୍ତାରୁ ହଟାଇବା ପାଇଁ ସୌଦାମିନୀ ଓ ଖଗେଶ୍ୱର ମିଶି ଯୋଜନା କରିଥିବା ଅଭିଯୋଗ ହୋଇଛି। ଗାଁରେ ଅପେରା ଚାଲୁଥିବା ସମୟରେ ଅଭିଯୁକ୍ତମାନେ ଯୋଜନା ମୁତାବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ସୌଦାମିନୀ ଚିକେନ୍ ତରକାରୀରେ ମୂଷା ମାରିବା ବିଷ ମିଶାଇ ସ୍ୱାମୀ ଦିଲ୍ଲୀପଙ୍କୁ ଖାଇବାକୁ ଦେଇଥିଲେ।

ଦିଲ୍ଲୀପ ଅଚେତ ହୋଇପଡ଼ିବା ପରେ ଉଭୟ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ବିଷ ମିଶାଇବାଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ସମସ୍ତ ଘଟଣା ଯୋଜନାବଦ୍ଧ ଥିବା ପୋଲିସ ତଦନ୍ତରେ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ସନ୍ଦେହ ଏଡ଼ାଇବା ଏବଂ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ପାଇଁ ଉଭୟ ଅଭିଯୁକ୍ତ ଅପେରା ଦେଖିବାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ରାତି ପ୍ରାୟ ୨ଟା ୪୦ ମିନିଟ୍‌ରେ ଘରକୁ ଫେରିବା ପରେ ଅଜଣା ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିବା ଭଳି ନାଟକ କରିଥିଲେ।

ତେବେ ଅଭିଯୁକ୍ତଙ୍କ ଏହି ଯୋଜନା ବେଶି ସମୟ ଲୁଚି ରହିପାରି ନଥିଲା। ଘଟଣାକୁ ନେଇ ସନ୍ଦେହ ବଢ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦିଲ୍ଲୀପଙ୍କ ମାଆଙ୍କ ଅଭିଯୋଗ ଆଧାରରେ ବାଗଡ଼ିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅନୁଗୋଳର ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ସାମିଲ ହୋଇଥିଲା। ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରିବା ପରେ ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ଏହି ମାମଲାରେ ଦିଲ୍ଲୀପଙ୍କ ସ୍ତ୍ରୀ ସୌଦାମିନୀ ଓ ତାଙ୍କ ପ୍ରେମିକ ଖଗେଶ୍ୱରଙ୍କୁ ଗିରଫ କରାଯାଇଛି। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରକୀୟା ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଏହି ହତ୍ୟାକାଣ୍ଡ ଅନୁଗୋଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial