ଅକ୍ଷର ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି। ଉଡ଼ାଣ ମଝିରେ ଇଞ୍ଜିନ୍ରେ ଅସ୍ୱାଭାବିକ ସ୍ଥିତି ଦେଖାଦେବାରୁ ଆବୁଧାବି ଯାଉଥିବା ବିମାନକୁ ପୁଣି କୋଚି ଫେରିବାକୁ ପଡ଼ିଛି। କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବୋଇଂ ୭୩୭ ବିମାନ IX 415ର ନମ୍ବର-୧ ଇଞ୍ଜିନ୍ରେ ତେଲର ପରିମାଣ ଦ୍ରୁତ ଗତିରେ କମୁଥିବା ଜଣାପଡ଼ିବା ପରେ କ୍ରୁ ସତର୍କ ହୋଇଥିଲେ। ସୂଚନା ଅନୁସାରେ, କୋଚିରୁ ବିମାନ ଉଡ଼ିବାର ପ୍ରାୟ ୫୦ ମିନିଟ୍ ପରେ ଇଞ୍ଜିନ୍ରେ ଏହି ସମସ୍ୟା ଦେଖାଦେଇଥିଲା। ସେତେବେଳେ ବିମାନଟି ପ୍ରାୟ ୩୬ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା। ପାଇଲଟ୍ ଓ କୋ-ପାଇଲଟ୍ ନମ୍ବର-୧ ଇଞ୍ଜିନ୍ରେ ତେଲର ପରିମାଣ ଲଗାତାର ହ୍ରାସ ପାଉଥିବା ଦେଖିଥିଲେ।
ଇଞ୍ଜିନ୍ରେ ଦେଖାଦେଇଥିବା ଅସ୍ୱାଭାବିକ ସ୍ଥିତିକୁ ନେଇ କ୍ରୁ FORDEC ପ୍ରକ୍ରିୟା ଅନୁସାରେ ପରିସ୍ଥିତିର ଆକଳନ କରିଥିଲେ। ଯାଞ୍ଚ ସମୟରେ ମଧ୍ୟ ନମ୍ବର-୧ ଇଞ୍ଜିନ୍ର ତେଲର ପରିମାଣ କମିବା ଜାରି ରହିଥିଲା। ଯାଞ୍ଚ ପରେ ନମ୍ବର-୧ ଇଞ୍ଜିନ୍ର ଅଏଲ୍ ପ୍ରେସର ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଥିଲା। ଫଳରେ ସତର୍କତାମୂଳକ ପଦକ୍ଷେପ ଭାବେ ଇଞ୍ଜିନ୍ଟିକୁ ବନ୍ଦ କରାଯାଇଥିଲା। ଏହାପରେ କ୍ରୁ ଆବୁଧାବି ଯାତ୍ରା ଜାରି ନରଖି ପୁଣି କୋଚି ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ବିମାନଟି ଆବୁଧାବି ନଯାଇ କୋଚି ଅଭିମୁଖେ ଫେରିଥିଲା ଏବଂ କୋଚି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ନମ୍ବର-୧ ଇଞ୍ଜିନ୍ରେ ତେଲର ପରିମାଣ କାହିଁକି ଦ୍ରୁତ ହ୍ରାସ ପାଉଥିଲା, ତାହାର ପ୍ରକୃତ କାରଣ ନେଇ ଯାଞ୍ଚ କରାଯାଉଛି। ଯାନ୍ତ୍ରିକ ତ୍ରୁଟିର କାରଣ ଜଣାପଡ଼ିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।











Leave a Reply