ମିଆମି ବିମାନବନ୍ଦରରେ ଭୟଙ୍କର ଦୁର୍ଘଟଣା: ରନୱେରୁ ବାହାରିଗଲା କାର୍ଗୋ ବିମାନ, ୫ ମୃତ; ୫ ଆହତ

ଅକ୍ଷର ବ୍ୟୁରୋ: ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା। ଅବତରଣ ବେଳେ ରନୱେରୁ ବାହାରିଗଲା ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ। ଦୁର୍ଘଟଣାରେ ମୋଟ ୧୦ ଜଣ ପ୍ରଭାବିତ ହୋଇଥିବାବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ ସାମିଲ ଥିଲା। ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ପରେ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ-୩୦ରେ ଅବତରଣ କରୁଥିବା ସମୟରେ ବିମାନଟି ଅଟକି ପାରିନଥିଲା। ରନୱେର ସୀମା ପାର କରି ବିମାନଟି ନିକଟସ୍ଥ ଏକ ରାସ୍ତା ଓ ପାର୍କିଂ ଅଞ୍ଚଳ ଭିତରକୁ ପଶିଯାଇଥିଲା। ସେଠାରେ ଥିବା ଅନେକ ଗାଡ଼ିକୁ ଧକ୍କା ଦେବା ପରେ ବିମାନରେ ନିଆଁ ଲାଗିଯାଇଥିଲା।

ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାରେ ମୋଟ ୧୦ ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ପ୍ରାଣ ହରାଇଛନ୍ତି। ୫ ଜଣ ଆହତ ହୋଇଥିବାବେଳେ ତାଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର। ସେମାନଙ୍କୁ ସ୍ଥାନୀୟ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ଖବର ପାଇ ମିଆମି-ଡେଡ୍ ଫାୟାର ରେସକ୍ୟୁର ପ୍ରାୟ ୨୦୦ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଫସି ରହିଥିବା ପାଇଲଟ୍‌ ଓ ଅନ୍ୟମାନଙ୍କୁ ବାହାର କରାଯାଇଥିଲା। ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ମିଆମି ବିମାନବନ୍ଦରର ସମସ୍ତ ରନୱେକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ଘଟଣାକୁ ନେଇ ଅଧିକ ତଦନ୍ତ ଓ ତଥ୍ୟ ସଂଗ୍ରହ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial