ରାଜଧାନୀରେ କାଳବୈଶାଖୀର ତାଣ୍ଡବ ପରେ ଆଉ ୫ଦିନ ଯାଏଁ ବର୍ଷା; ସୂଚନା ଦେଲେ ପାଣିପାଗ ବିଭାଗ

ଆସନ୍ତାକାଲି ରାଜଧାନୀରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ବହୁ ଅପେକ୍ଷାର ଅନ୍ତ ଘଟେଇ କାଲି ହୋଇଛି ନିଧୁମ୍ ବର୍ଷା। ତାତିରୁ ଆଶ୍ୱସ୍ତି ପାଇଛନ୍ତି ରାଜଧାନୀବାସୀ। କାଲି ରାତି ପ୍ରାୟ ୧୦.୩୦ରେ ଆରମ୍ଭ ହୋଇଥିଲା ବର୍ଷା ସହ ପବନ। ବର୍ଷା ସାଙ୍ଗକୁ ପବନ ମାଡରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବା ଚିତ୍ର ସକାଳୁ ଦେଖିବାକୁ ମିଳିଥିବା ବେଳେ ଗତକାଲି ରାତିରେ ଦୀର୍ଘ ସମୟ ଧରି କରେଣ୍ଟ ଚାଲିଯାଇଥିଲା। ଯଦିଓ ବର୍ଷା ପବନ ପାଇଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା, କିନ୍ତୁ କରେଣ୍ଟ କଟିବା କାରଣରୁ ରାତିରେ ଗୁଳୁଗୁଳି ଅନୁଭବ ହୋଇଥିବା ଲୋକେ କହିଛନ୍ତି। ଆହୁରି ୫ ଦିନ ବର୍ଷା ହେବ ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ଆଜି ୧୪ ଜିଲ୍ଲାରେ ଘଡ଼ଘଡ଼ି ଓ ଝଡ଼ବର୍ଷା ହେବା ସହ ଉପକୂଳ ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ୧୪ଜିଲ୍ଲାଗୁଡିକ ହେଲେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି । ୧୩ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)