ଟ୍ୱିନସିଟିରେ କାଳବୈଶାଖୀର ତାଣ୍ଡବ। ବର୍ଷାରେ ଭିଜୁଛି ଟ୍ୱିନସିଟି ଭୁବନେଶ୍ୱର-କଟକ। ଆଜି ରାଜଧାନୀ ଭୁବନେଶ୍ୱରରେ ସକାଳୁ ହଠାତ୍ ବଦଳିଯାଇଥିଲା ପାଗ। ଘୋଟିଆସିଥିଲା କଳାହାଣ୍ଡିଆ ମେଘ। ଦେଖୁ ଦେଖୁ ଅନ୍ଧାର ହୋଇଗଲା ଆକାଶ।ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ମାଡିଆସିଥିଲା ପବନ। ରାସ୍ତାଘାଟରେ ବିଛେଇ ହୋଇଯାଇଥିଲା ଧୂଳିର ବୁଢିଆଣୀ ଜାଲ। କିଛି ଭାବିବା ପୂର୍ବରୁ ଅଚାନକ ଢାଳିଦେଇଥିଲା ବର୍ଷା। ଲୋକେ କୁଆଡେ ଯିବେ ବୋଲି ହଠାତ୍ ବାଟ ପାଇନଥିଲେ। ତେବେ ରାଜଧାନୀରେ ଆଜି ଦିନ ୯.୩୦ରୁ ୧୧ଟା ମଧ୍ୟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, ନରସିଂହପୁର ଓ ପିପିଲି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଏବଂ ବୋର୍ଡ ସବୁ ଭାଙ୍ଗି ପଡ଼ିଛି।ଅଗ୍ନିଶମ ବାହିନୀ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଜୟଦେବ ବିହାର ସ୍ଥିତ ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ସର୍ବାଧିକ ପବନ ବେଗର ଝଟକା ଘଣ୍ଟା ପ୍ରତି ୬୮ କିଲୋମିଟର ରହିଥିଲା। ଏପଟେ ପ୍ରବଳ ବର୍ଷାରେ ବଡଦାଣ୍ଡରେ ପାଣିର ସୁଅ ଛୁଟି ଥିବା ମଧ୍ୟ ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଆଜି କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।












Leave a Reply