ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ । ଉତ୍ତର ଓଡ଼ିଶା ଓ ସଂଲଗ୍ନବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏବେ ଆଉ ଏକ ଲଘୁଚାପ ସକ୍ରିୟ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହେବ। ସେପଟେ କେନ୍ଦ୍ରୀୟ ମିଆଁମାର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପଶ୍ଚିମଦିଗରେ ଗତି କରିବ ।
୨୬ ତାରିଖରେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଅବପାତର ରୂପ ନେବ । ୨୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷିବ । ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ୩ ଜିଲ୍ଲା କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ । ଆଜି ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ମାଲକାନଗିରିକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ଆଜି ପ୍ରବଳ ବର୍ଷା ସମ୍ଭାବନା ପାଇଁ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।












Leave a Reply