ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୯ ତାରିଖ ଯାଏଁ ଏହା ସକ୍ରିୟ ରହିବ । ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରଭାବ । ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଅନ୍ୟପଟେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ୧୦ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଆଶଙ୍କା ରହିଥିଲେ ମଧ୍ୟ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ତେବେ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉତ୍ତର ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ତେଲଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି । ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଏହା ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ।












Leave a Reply