ପଛକୁ ପଛ ମାଡି ଆସୁଛି ୩ ଲଘୁଚାପ; ୨୪ ଘଣ୍ଟାରେ ନେବ ଅବପାତର ରୂପ ।

ଅକ୍ଷର ବ୍ୟୁରୋ: ଚାଷୀଙ୍କୁ ଡରାଇଲାଣି ବର୍ଷା ଭୟ । ଅମଳ ସମୟରେ ପଛକୁ ପଛ ଆସୁଛି ୩ ଲଘୁଚାପ । ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪/୨୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏପଟେ ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୨୪ ଘଣ୍ଟାରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ଏବଂ ଅଧିକ ଘନୀଭୂତ ହେବ ।

ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ରୂପ ନେବ ସେ ନେଇ ଆଇଏମ୍ ଡି କୌଣସି ସ୍ପଷ୍ଟ ଚିତ୍ର ଦେଇନି । ଏପଟେ ଅବପାତ ଯୋଗୁଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୫ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିଭଳି ଆସନ୍ତା ୨୬ କିମ୍ବା ୨୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏଥିସହ ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଆକଳନ କରାଯାଉଛି। ପ୍ରଥମ ଲଘୁଚାପର ପ୍ରଭାବ ବେଶୀ ପଡ଼ିନପାରେ। କିନ୍ତୁ ଦ୍ୱିତୀୟଟିର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ତେବେ ବର୍ଷା ଦ୍ୱାରା ଧାନ ଓ ଅନ୍ୟାନ୍ୟ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)