ଅକ୍ଷର ବ୍ୟୁରୋ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ ଏବଂ ୨୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା କରାଯାଉଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିପାରେ ।
ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡିନଥିଲେ ବି ଆନ୍ଧ୍ରକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି କୁହାଯାଇଛି । ଓଡିଶାରେ କେବଳ ପ୍ରବଳ ବର୍ଷା ହେବ । ତିନି ଦିନ ଧରି ବର୍ଷା ପବନ ରହିଛି । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜିଠାରୁ ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ତେବେ, ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବିଶେଷକରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଯଥା-ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।












Leave a Reply