ଅକ୍ଷର ବ୍ୟୁରୋ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେଲା । ଅଧିକ ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ । ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ । ୨୬ ତାରିଖ ସୁଦ୍ଧା ଅବପାତଟି କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ ତାହା ଜଣାପଡି ନାହିଁ । ଲଘୁଚାପଟି ଅବପାତରେ ପରିଣତ ହେବା ପରେ ହିଁ ବାତ୍ୟାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ମାତ୍ର ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଉପରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ । ଏହା ପ୍ରଭାବରେ ୨୭ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢିବ। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିବ । ୨୭ରୁ ୨୯ ତାରିଖ ୩ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଲଘୁଚାପ, ଅବପାତ ଓ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି । ୨୬ ତାରିଖରୁ ପବନ ଆରମ୍ଭ ହେବା ସହ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୫-୪୫ କି.ମି.ରୁ ୫୫ କି.ମି. ବେଗରେ ପବନ ବହିବ। ସେହିପରି ୨୭ ତାରିଖରେ ୪୫-୫୫ କି.ମି.ରୁ ୬୫ କି.ମି. ଏବଂ ୨୮ ଓ ୨୯ ତାରିଖରେ ୫୦-୬୦ କି.ମିରୁ ୭୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ଥିତି ମଧ୍ୟମ ଧରଣର ଅଶାନ୍ତ ରହିବ । ୨୭ ତାରିଖରେ ଏହା ଅଶାନ୍ତରୁ ଅତି ଅଶାନ୍ତ ଏବଂ ୨୮ରୁ ୨୯ ପର୍ଯ୍ୟନ୍ତ ଅତ୍ୟନ୍ତ ଅଶାନ୍ତରୁ ଉଚ୍ଚ ହେବାର ସମ୍ଭାବନା ରହିଛି ।
ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ରବିବାର ଏହିସବୁ ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ବୌଦ୍ଧ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ସୋମବାର ୨୭ତାରିଖରେ ରାଜ୍ୟର ସମସ୍ତ ଜିଲାକୁ ୟୋଲେ ୱାର୍ନିଂ ଏବଂ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି । ଏହି ସମୟରେ ବିଜୁଳି ଘଡଘଡି ସହିତ ଝଡ ପବନ ବହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।












Leave a Reply