ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ ନେଇ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଛି। ଇସ୍କନ ସଂସ୍ଥା ଦ୍ୱାରା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି। ଭାରତ ଭିତରେ ରଥଯାତ୍ରା ତିଥି ଅନୁସାରେ କରିବା ପାଇଁ ଇସ୍କନ ସୂଚନା ଦେଇଛି। ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଥିବା ସଂସ୍ଥା ବିରୋଧରେ ଆଗାମୀ ଦିନରେ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।
ଅନ୍ୟପଟେ ଭାରତ ବାହାରେ ଅଦିନିଆ ରଥଯାତ୍ରା ନହେବା ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ବିଭିନ୍ନ ସମୟରେ ପ୍ରଘଟ ଘଟଣାକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଫଟୋ, ଭିଡିଓ ଉତ୍ତୋଳନ ସହ ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ନ ହେବା ଦିଗରେ ସୁରକ୍ଷାଜନିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଖୁବ୍ଶୀଘ୍ର ଏନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ବୈଠକ ପରେ ସୂଚନା ଦେଇଛନ୍ତି।












Leave a Reply