କ୍ରିକେଟ୍‌କୁ ଡିନ୍ ଏଲଗାରଙ୍କ ଅଲବିଦା! ୨୦୨୬ ସିଜନ୍‌ ପରେ ପେଶାଦାର କ୍ରିକେଟ୍‌ରୁ ନେବେ ଅବସର

ଅକ୍ଷର ବ୍ୟୁରୋ: କ୍ରିକେଟ୍‌ ଜଗତକୁ ଡିନ୍ ଏଲଗାରଙ୍କ ଅଲବିଦା । ୨୦୨୬ ସିଜନ୍‌ ଶେଷ ହେବା ପରେ ସମସ୍ତ ପ୍ରକାରର ପେଶାଦାର କ୍ରିକେଟ୍‌ରୁ ଅବସର ନେବେ ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର୍‌ କ୍ରିକେଟର। ପ୍ରାୟ ଦୁଇ ଦଶନ୍ଧି ଧରି କ୍ରିକେଟ୍‌ ମଇଦାନରେ ନିଜ ଦମଦାର ବ୍ୟାଟିଂରେ ଛାପ ଛାଡ଼ିଥିବା ଏଲଗାରଙ୍କ କ୍ୟାରିୟରରେ ଏବେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ଟେଷ୍ଟ କ୍ରିକେଟ୍‌ରେ ଜଣେ ଭରସାଯୋଗ୍ୟ ଓପନର୍‌ ଭାବେ ପରିଚିତ ଡିନ୍ ଏଲଗାର ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ ମ୍ୟାଚ୍‌ରେ ୫,୩୪୭ ରନ୍‌ ସଂଗ୍ରହ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ରହିଛି ୧୪ଟି ଶତକ ଓ ୨୩ଟି ଅର୍ଦ୍ଧଶତକ । ଦୀର୍ଘ ଫର୍ମାଟ୍‌ରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ଅପ୍‌କୁ ଦୀର୍ଘ ସମୟ ଧରି ସମ୍ଭାଳିଥିବା ଏଲଗାର ନିଜର ଲଢ଼ୁଆ ବ୍ୟାଟିଂ ପାଇଁ ବେଶ୍‌ ପ୍ରଶଂସିତ ହୋଇଛନ୍ତି ।

କେବଳ ବ୍ୟାଟର୍‌ ଭାବେ ନୁହେଁ, ଅଧିନାୟକ ଭାବରେ ମଧ୍ୟ ଏଲଗାରଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦକ୍ଷିଣ ଆଫ୍ରିକାର ୧୭ଟି ଟେଷ୍ଟରେ ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଦଳ ଅନେକ ସ୍ମରଣୀୟ ମ୍ୟାଚ୍‌ ଖେଳିଥିଲା । ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିବା ଏଲଗାର ଏବେ ପେଶାଦାର କ୍ରିକେଟ୍‌ରୁ ମଧ୍ୟ ସମ୍ପୂର୍ଣ୍ଣ ଅବସର ନେବାକୁ ଯାଉଛନ୍ତି । ୨୦୨୬ ସିଜନ୍‌ ହେବ ତାଙ୍କ କ୍ରିକେଟ୍‌ କ୍ୟାରିୟରର ଶେଷ ଅଧ୍ୟାୟ। ଦୀର୍ଘ କ୍ୟାରିୟରରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ପାଇଁ ଅନେକ ସ୍ମରଣୀୟ ଅବଦାନ ରଖିଥିବା ଏଲଗାରଙ୍କ ଏହି ଘୋଷଣା ତାଙ୍କ ପ୍ରଶଂସକଙ୍କ ପାଇଁ ଭାବପ୍ରବଣ ମୁହୂର୍ତ୍ତ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial